ଶ୍ରୀକାକୁଲମ : ପୁଣି ଏକ ରେଳ ଦୁର୍ଘଟଣା। ଟ୍ରାକ ଉପରେ ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ଏହି ଘଟଣା ଘଟିଛି । ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ହଠାତ୍ ଅଲଗା ହୋଇଯାଇଥିଲା। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।
ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟେକ୍ନିସିଆନ୍ମାନଙ୍କ ସହ ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍ ସହ ଯୋଡ଼ିଥିଲେ। ଏହାପରେ ଟ୍ରେନ୍ ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ିଛି। ଏଥିପାଇଁ ବ୍ରହ୍ମପୁର ଓ ବିଶାଖାପାଟଣା ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି।ଅପରପକ୍ଷେ ଏହି କାରଣରୁ ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।