ସମ୍ବଲପୁର: ଓଡ଼ିଶା ରାଜ୍ୟକୁ ବିକଶିତ କରିବା ଲକ୍ଷ୍ୟରେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ କୁ ନେଇ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆଞ୍ଚଳିକସ୍ତରୀୟ ପରାମର୍ଶ କର୍ମଶାଳା ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,ପୋଲିସ ଆଇଜି ,ଆରଡ଼ିସି ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜନପ୍ରତିନିଧି, ଶିଳ୍ପାନୁଷ୍ଠାନ ପ୍ରତିନିଧି ଓ ବ୍ୟବସାୟୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଶେଷକରି ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶାକୁ ଅଧିକ ବିକଶିତ କରିବାକୁ କ'ଣ କ'ଣ ଯୋଜନା ପ୍ରସ୍ତୁତ କରାଯାଇପାରିବ ସେ ଉପରେ କାର୍ଯ୍ୟକ୍ରମରେ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହାସହ ୨୦୪୭ ମସିହାରେ ଦେଶ ସ୍ୱାଧିନତାର ୧୦୦ ବର୍ଷ ପାଳନ ହେବାକୁ ଥିବାବେଳେ ଓଡ଼ିଶା ରାଜ୍ୟର କିପରି ଦେଶକୁ ବିକଶିତ କରିବାରେ ବଡ଼ ଭୂମିକା ରହିପାରିବ ସେନେଇ ମଧ୍ୟ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି।