ଜଗତସିଂହପୁର : ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କର କମଳରେ ଲୋକାର୍ପିତ ହେଲା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ। ୫କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଭୋଜି ପିଣ୍ଡି, ଚଲାରାସ୍ତା,ଶୌଚାଳୟ, ଫୁଡ୍ ପ୍ଲାଜା ଆଦି ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ଆବଶ୍ୟକ ପଡିଲେ ଆହୁରି ୧୦ କୋଟି ଟଙ୍କା ମଂଜୁର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି। ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ବିକାଶ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଂଚ଼ଳର ଲୋକମାନଙ୍କର ଆର୍ଥିକ ବିକାଶ ଘଟିବା ସହ ମହିଳାମାନଙ୍କ ବିକାଶ, ସୁରକ୍ଷା ଏବଂ ସଶକ୍ତିକରଣ ହୋଇପାରିବ। ଏଥିସହିତ ସୁଭଦ୍ରା ଯୋଜନାରୁ ଜଣେ ହେଲେ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଯୋଗ ଦେଇଥିଲେ।