ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କର ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ସେ ଇହଲୀଳା ସମ୍ୱରଣ କରିଛନ୍ତି ।
ସ୍ବର୍ଗତ ଲୋଭାବତୀ ପରିଡା ପୁରୀ ଜିଲ୍ଲା ନୂଆହାଟର ନିଭରଣ ବାସିନ୍ଦା ଥିଲେ। ତାଙ୍କର ୫ ପୁଅଝିଅ ଅଛନ୍ତି । ପ୍ରଭାତୀ ପରିଡ଼ା ହେଉଛନ୍ତି ତାଙ୍କର ତୃତୀୟ ସନ୍ତାନ ।
ମିଳିଥିବା ସୂଚନା ଅନୁସାରେ ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ଗାଁ ନିଭରଣ ଯାଇଛନ୍ତି । ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଲୋଭାବତୀ ନୂଆହାଟ ଅଞ୍ଚଳରେ ଜଣେ ସମାଜସେବିକା ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜର ଅନେକ ଉନ୍ନତିମୂଳକ କାମରେ ତାଙ୍କର ବିଶେଷ ଯୋଗଦାନ ଥିଲା । ଅନେକ ତାଙ୍କୁ ଶ୍ରଦ୍ଧାରେ ମାଆ ବୋଲି ଡାକୁଥିଲେ । ତାଙ୍କର ଦେହାନ୍ତ ରେ ସମଗ୍ର ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।