ଯାଜପୁର: ଯାଜପୁରରେ ୨୨ କୋଟି ମୂଲ୍ୟରେ ନିର୍ମିତ ସ୍ପୋର୍ଟ୍ସ କମ୍ପେକ୍ସ ଏବେ ପ୍ରତିଯୋଗିତା ପାଇଁ ଅଯୋଗ୍ୟ । ଭିତ୍ତିଭୂମିରେ ବୈଷୟିକ ତ୍ରୁଟି କାରଣରୁ ରାଜ୍ୟ, ଜାତୀୟ କିମ୍ବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଉପଯୁକ୍ତ ନୁହେଁ । ପୂର୍ବ ସରକାର ଏହାର ନିର୍ମାଣକୁ ନେଇ ବେଶ୍ ପ୍ରଚାର କରିଥିଲେ ସୁଦ୍ଧା ଆଖିବୁଜା ଦୁର୍ନୀତି କରିବା ସହ ମାନ ପ୍ରତି ଦୃଷ୍ଟି ଦେଇ ନଥିବାରୁ କୋଟି କୋଟି ଟଙ୍କାର ନିର୍ମିତ ପ୍ରକଳ୍ପ ନିର୍ମାଣର ଉଦ୍ଦେଶ୍ୟ ବିଫଳ ହୋଇଛି ।
ଯାଜପୁର ସହରର କେନ୍ଦ୍ରସ୍ଥଳ କୁସୁମା ସମ୍ମୁଖରେ ୨୨ କୋଟି ଟଙ୍କାର ଖଣିଜ ପାଣ୍ଠି ବା ଡିଏମ୍ଏଫ୍ ଫଣ୍ଡ୍ ବିନିମୟରେ ନିର୍ମାଣ ହୋଇଛି ସ୍ପୋର୍ଟସ୍ କମ୍ପ୍ଲେକ୍ସ । ୧୫ ଏକର ପରିମିତ ଜମିରେ ଗଢ଼ି ଉଠିଥିବା ଏହି କମ୍ପ୍ଲେକ୍ସ ଭିତରେ ବାସ୍କେଟବଲ୍, ଭଲିବଲ୍, ଲନ୍ ଟେନିସ୍, କ୍ରିକେଟ୍, ଫୁଟବଲ୍ , ଆଥ୍ଲେଟିକ୍ କ୍ରୀଡ଼ାର ସୁବିଧା ଥିବାବେଳେ ଇନ୍ଡୋର କ୍ରୀଡ଼ାରେ ଟେବୁଲ୍ ଟେନିସ୍, ଯୋଗାଭ୍ୟାସ ଆଦିର ସୁବିଧା ରହିଛି । ଆଥ୍ଲେଟିକ୍ ପାଇଁ ୬ଟି ଟ୍ରାକର ନିୟମ ଥିବାବେଳେ ପାଖାପାଖି ୪ କୋଟି ଟଙ୍କାରେ ୫ଟି ସିନ୍ଥେଟିକ ଟ୍ରାକ୍ ନିର୍ମିତ ହୋଇଛି । କିନ୍ତୁ କୌଣସି କାମକୁ ନୁହେଁ ଏହି କମ୍ଲେକ୍ସ । ଟ୍ରାକ୍ର ବ୍ୟାସାର୍ଦ୍ଧ ଓ ସଳଖ ପ୍ରସ୍ତୁତିରେ ବୈଷୟିକ ସମସ୍ୟା ରହିଛି । ମେସିନ୍ରେ ହ୍ୱାଇଟ୍ ଲାଇନ୍ ଚିହ୍ନ ନ କରି ହାତରେ ଟଣା ଯାଇଛି ହ୍ୱାଇଟ୍ ଲାଇନ୍ । ଡ୍ରେନ୍ ନିର୍ମାଣରେ ତ୍ରୁଟି ଯୋଗୁଁ ଟ୍ରାକରେ ଜମି ରହୁଛି ପାଣି ଜମି । ଫଳରେ ବହୁମୂଲ୍ୟର ଟ୍ରାକ୍ ନଷ୍ଟ ହେବାକୁ ବସିଲାଣି ।
ଫୁଟ୍ବଲ୍ ପଡ଼ିଆ, କ୍ରିକେଟ ପିଚ୍ ମଧ୍ୟ ନିର୍ଦ୍ଧାରିତ ମାନ ଅନୁଯାୟୀ ହୋଇନାହିଁ । ଆଥେଲେଟିକ ଫେଡରେସନ ଅଫ ଇଣ୍ଡିଆ ନିୟମ ଅନୁଯାୟୀ ଷ୍ଟାଡିୟମ ନିର୍ମାଣ ହୋଇ ନଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ନିମନ୍ତେ ଏହାର ଭିତ୍ତିଭୂମି ଉପଯୁକ୍ତ ନୁହେଁ ବୋଲି ଜିଲ୍ଲା ପ୍ରଶାସନକୁ କ୍ରୀଡ଼ା ବିଭାଗ ରୋକ୍ଠୋକ୍ ଜଣାଇ ଦେଇଛି । ଯାହାକି ୧୮ଟି ତ୍ରୁଟି ଚିହ୍ନଟ କରି ମରାମତି ହେଲେ ଏହାକୁ କ୍ରୀଡାବିଭାଗ ହାତକୁ ନେବ ବୋଲି ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁସବୁ ତ୍ରୁଟି ହୋଇଛି ସେଥିରେ ମରାମତି ସମ୍ଭବ ନ ଥିବାରୁ ପୁରା ପ୍ରକଳ୍ପ କେବଳ ଅଭ୍ୟାସ କାର୍ଯ୍ୟରେ ସୀମିତ ରହିଲା ବୋଲି ଚର୍ଚ୍ଚା ହେଉଛି।
ପୂର୍ବତନ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଡିଏମ୍ଏଫ୍ ପକ୍ଷରୁ ଏହାକୁ ଗୁରୁତ୍ଵ ଦିଆଯାଇ ନଥିଲା। ଏତେ ବଡ଼ ପ୍ରକଳ୍ପ ନିର୍ମାଣ ବାବଦରେ ଜିଲ୍ଲା କ୍ରୀଡ଼ା ବିଭାଗ ପାଖରେ କୌଣସି ସୂଚନା ନ ଥିବାବେଳେ ଅର୍ଥ ହେରଫେର ଆଳରେ ଜାତୀୟ ଠିକା ସଂସ୍ଥା ଦ୍ବାରା ନିମ୍ନମାନର କାର୍ଯ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି ।