ପୁରୀ: ଆଜିଠାରୁ ପୁଣି ଥରେ ରତ୍ନଭଣ୍ଡାର କାମ ଆରମ୍ଭ ହେବ । ତେବେ ଆଜି ମାତ୍ର ଘଣ୍ଟେ କି ଦୁଇ ଘଣ୍ଟା କାମ ହେବାର ସମ୍ଭାବନା ରହିଛି । କାରଣ ଗତକାଲିର ବନକଲାଗି ନୀତି ଯୋଗୁଁ ପହୁଡ଼ ବି ହୋଇପାରି ନ ଥିଲା ।
ବନକଲାଗି ପରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରାୟ ଭୋର ୪ଟା ବେଳେ ଶେଷ ହୋଇଥିଲା । ଫଳରେ ରାତ୍ର ପହୁଡ଼ ହୋଇ ନ ଥିବା ସୂଚନା ମିଳିଛି । ସେଥିପାଇଁ ଆଜି ସକାଳୁ ବିଳମ୍ବରେ ମଙ୍ଗଳ ଆଳତୀ ମଧ୍ୟ କରାଯାଇଛି । ତେଣୁ ଏହା ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ଯଥା ମଇଲମ, ତଡ଼ପଲାଗି, ଅବକାଶ, ପ୍ରଥମ ଭୋଗ ମଣ୍ଡପ ଆଦି ମଧ୍ୟ ହେବାର ରହିଛି । ତେଣୁ ସମସ୍ତ ନୀତିକାନ୍ତି ସରିବା ପରେ ଭଣ୍ଡାର ମରାମତି ପାଇଁ ଏଏସଆଇ ଟିମ୍ ମନ୍ଦିର ଭିତରକୁ ପ୍ରବେଶ କରିବେ । ସେଥିପାଇଁ ଖବୁ ସମୟ ଭଣ୍ଡାର ମରାମତି ପାଇଁ ମିଳିପାରେ ।
ତେବେ ଭିତର ରତ୍ନ ଭଣ୍ଡାରେ ପ୍ଲାଷ୍ଟର ଛଡ଼ା କାମ ଶେଷ ହୋଇଛି । ଏହା ପରେ ଯେଉଁ ପଥରରେ ଫାଟ ସୃଷ୍ଟି ହୋଇଥିଲା ତାହାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ପାଇଁ ଜାନୁୟାରୀ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ମରାମତି କାମକୁ ସ୍ଥଗିତ ରଖାଯାଇଥିଲା ।
ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ ସୂଚନା ଦେଇଥିଲେ ଯେ ମାର୍ଚ୍ଚ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ । ଏହା ପରେ ସମସ୍ତ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ । ଏହା ପରେ ଅଳଙ୍କାରଗୁଡ଼ିକୁ ଗଣତି ମଣତି କରାଯିବ ବୋଲି କହିଥିଲେ ମନ୍ତ୍ରୀ ।