ଅମରାବତୀ: ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ସଫଳତାର କାହାଣୀରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ହୋଇଛି । ଇସ୍ରୋର ସ୍ପେଡେକ୍ସ ମିଶନ୍ ସଫଳ ହୋଇଛି । ମହାକାଶରେ ସ୍ପେଶ୍ ଡକିଂ ପ୍ରକ୍ରିୟା ସଫଳ ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ଆକାଉଣ୍ଟର ଏକ୍ସରେ ସୂଚନା ଦିଆଯାଇଛି । ସ୍ପେଶ ଡକିଂରେ ଆମେରିକା, ରୁଷ ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ହୋଇଛି ।
ମହାକାଶରେ ଦୁଇ ଉପଗ୍ରହ ସ୍ପେଶକ୍ରାଫ୍ଟ ଏ(ଏସଡିଏକ୍ସ୦୧) ଓ ସ୍ପେଶକ୍ରାଫ୍ଟ ବି(ଏସଡିଏକ୍ସ୦୨)କୁ ଯୋଡାଯାଇଛି । ଏହା ସମ୍ପୂର୍ଣ୍ଣ ଭାବରେ ତ୍ରୁଟି ଶୂନ୍ୟ ରହିଛି । ଇସ୍ରୋ ତାର ପଥମ ପ୍ରୟାସରେ ତ୍ରୁଟିଶୂନ୍ୟଭାବରେ ଏହି ଉପଲବ୍ଧି ହାସଲ କରିଛି । ଏହାକୁ ପରବର୍ତ୍ତୀ ସମୟରେ ଅଲଗା କରାଯିବ ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ଅନଡକିଂ ପ୍ରକ୍ରିୟା କୁହାଯାଏ। ପ୍ରଥମେ ୧୨ ତାରିଖରେ ଏହାକୁ ପରୀକ୍ଷା ମୂଳକଭାବେ ସ୍ପେସ୍ ଡକିଂ ପ୍ରକ୍ରିୟା କରାଯାଇଥିଲା । ଦୁଇଟି ସାଟେଲାଇଟକୁ ୩ ମିଟର୍ ଦୂରତା ପର୍ଯ୍ୟନ୍ତ ଅଣାଯାଇଥିଲା । ଏହା ପରେ ପୁଣି ଥରେ ଅଲଗା କରାଯାଇଥିଲା ।
ଇସ୍ରୋର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସ୍ପେସ୍ ଡକିଂ ମିଶନରେ ଯୋଡି ହୋଇଥିବା ଇସ୍ରୋର ସମସ୍ତ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ଡିସେମ୍ବର 30 ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରଥମ ଲଞ୍ଚ ପ୍ୟାଡ୍ରୁ ସ୍ପେଡେକ୍ସ ମିଶନ ଉତକ୍ଷେପଣ କରାଯାଇଥିଲା । ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ(ପିଏସଏଲଭି) –ସି ୬୦ ରକେଟ୍ ଦ୍ଵାରା ସୋମବାର ରାତି ୧୦ଟା ୧୫ ସେକେଣ୍ଡରେ ଏହାର ସଫଳ ଉତକ୍ଷେପଣ ହୋଇଥିଲା । ଏହି ମିଶନର ସଫଳତା ଭାରତର ଆଗାମୀ ମିଶନ ଚନ୍ଦ୍ରଯାନ-୪, ନିଜର ସ୍ପେଶ ଷ୍ଟେସନ ଓ ଚନ୍ଦ୍ର ପୃଷ୍ଠରେ ଭାରତୀୟ ମହାକାଶଚାରୀଙ୍କ ଅବତରଣ ସ୍ଵପ୍ନ ସାକାର ଦିଗରେ ବିଶେଷ ସହାୟକ ହେବ।
ଏହା ପୂର୍ବରୁ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ଇସ୍ରୋ ପଠାଇଥିବା ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହୋଇ ପତ୍ର କଅଁଳିଥିଲା । କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜି ମହାକାଶରେ ଗଜା କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଯାହାକି ସଫଳ ହୋଇଥିଲା ।