ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପରିବାର ସହ ଘରେ ଶାନ୍ତିରେ ଶୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଆପାର୍ଟମେଣ୍ଟରେ ପଶି ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ଏକ ଡକାୟତି ବୋଲି କୁହାଯାଉଛି। ଏହି ଆକ୍ରମଣ ପରେ ବାନ୍ଦ୍ରା ପୁଲିସ ଏବେ ତଦନ୍ତ ଜାରି ରଖିଛି। ସୈଫ୍ ଅଲ୍ଲୀ ଖାନ୍ଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାତିରେ ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଏହି ଆକ୍ରମଣ ଗୁରୁବାର ରାତି ପ୍ରାୟ ୨ଟା ବେଳେ ହୋଇଥିଲା। ଜଣେ ଚୋର ତାଙ୍କ ଘରେ ପଶି ଅଭିନେତାଙ୍କୁ ୬ ଥର ଛୁରିରେ ଆକ୍ରମଣ କରିଥିଲା। ଅଭିନେତାଙ୍କ ଦେହରେ ଅନେକ ଆଘାତ ଲାଗିଛି। ସୈଫ୍ ଅଲ୍ଲୀ ଖାନ୍ଙ୍କ ବେକ ଓ ମେରୁଦଣ୍ଡ ନିକଟରେ ସର୍ବାଧିକ ଆଘାତ ଲାଗିଛି। ସୈଫ୍ ଅଲ୍ଲୀ ଖାନ୍ ବର୍ତ୍ତମାନ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସେ ବିପଦମୁକ୍ତ ଅଛନ୍ତି।
ଏହି ପୂରା ଘଟଣାରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ଟିମ୍ ଏବେ ଏକ ବିବୃତି ଜାରି କରି କହିଛି, ସୈଫ୍ ଅଲ୍ଲୀ ଖାନ୍ଙ୍କ ଘରକୁ ଲୁଟ୍ ଉଦ୍ୟମ କରାଯାଇଥିଲା। ଅଭିନେତା ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି ଏବଂ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ତାଙ୍କ ହାତରେ ଆଘାତ ଲାଗିଛି ଏବଂ ପରିବାରର ଅନ୍ୟ ସଦସ୍ୟସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆମେ ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଶାନ୍ତ ରୁହନ୍ତୁ ଏବଂ କୌଣସି ପ୍ରକାର କଳ୍ପନାଜଳ୍ପନା କରନ୍ତୁ ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।