ବାରମ୍ବାର ବିଭିନ୍ନ ସରକାରୀ କର୍ମଚାରୀମାନେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି। ସେହିଭଳି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ହରଭଙ୍ଗା କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ୨୦ ହଜାର ଲାଞ୍ଚ ନେଉଥିବା ବରିଷ୍ଠ କିରାଣୀଙ୍କୁ ପ୍ରମାଣ ସହିତ ଧରିଛି ଭିଜିଲାନ୍ସ। ସ୍କୁଲର ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ କିରାଣୀ। ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଛି।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ୨ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ ପଡ଼ିଥିଲା। ଏପରିକି ଏଥିପାଇଁ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। କାରଣ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ବୈଠକରେ ଯୋଗ ଦେଇଥିବାର ଫୋଟ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯାଇଥିଲା। ତେଣୁ ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ। ଯିଏ କି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।