ନୃଶଂସ ବାପାର ବର୍ବର କାଣ୍ତ । ପାରିବାରିକ କଳହ ପାଇଁ ଗଡ଼ିଲା ମୁଣ୍ଡ । ବୃଦ୍ଧ ବୟସରେ ଯେଉଁ ପୁଅ ବାପାର ସାହାରା ସାଜିଥାନ୍ତା, ସେହି ପୁଅକୁ ନିଜ ହାତରେ ହତ୍ୟା କରିଛି ବାପା । ଭୁଜାଲି ଭୁସି ବାପା ନେଇଛି ପୁଅର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ ଏବଂ ତାଙ୍କ ପୁଅ ଶଙ୍କର୍ଷଣ ବାରିକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ବୁଧବାର କୌଣସି କାରଣକୁ ନେଇ ପୂର୍ବରୁ ଲାଗି ରହିଥିବା ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ବାପା ଏବଂ ପୁଅଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ବାପା ଓ ପୁଅ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । କଥା କଟାକଟି କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା ଯେଉଁଥିରେ ଉତ୍କ୍ଷୀପ୍ତ ହୋଇ ଏକ ଭୁଜାଲି ସାହଯ୍ୟରେ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲା ବାପା ।
ସେପଟେ ବାପାର ଭୁଜାଲି ଚୋଟରେ ପୁଅ ଶଙ୍କର୍ଷଣଙ୍କର ଗୁରୁତର ଭାବେ ଆହତ ହୋଇଥିଲା । ଅନ୍ୟପକ୍ଷରେ ପୁଅ ମଧ୍ୟ ବାପାକୁ ଅନ୍ୟ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହାରି ଭିତରେ ବାପା ଓ ପୁଅ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପିରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବାପାର ଆକ୍ରମଣରେ ଘଟଣାସ୍ଥଳରେ ପୁଅ ଶଙ୍କର୍ଷଣର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ : ମାମୁଁକୁ ହତ୍ୟା କଲା ଭଣଜା