ଭୁୁବନେଶ୍ୱର: ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଯେଉଁମାନେ ଚିତ୍କାର କରୁଛନ୍ତି, ଆଙ୍ଗୁଳି ଦେଖାଉଛନ୍ତି ସେମାନେ ବାହାନା ଦେଖାଇ ଗୃହରେ ରହୁ ନାହାନ୍ତି । ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କୁ ଏମିତି କଡା ଶବ୍ଦରେ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷାକର୍ମୀ ବାଡେଇଲେ ବୋଲି ମିଛ କଥା କହୁଛନ୍ତି । ଯଦି ସୁରକ୍ଷାକର୍ମୀ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ହାତ ମୋଡି ଦେଲେ ତେବେ ସେ ମେଡିକାଲରେ ରହିବା କଥା ଏଠି କଣ କରୁଥିଲେ । କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତ୍ରୀଯାପନ ସମୟର ଭିଡିଓ ଛାଡିଛନ୍ତି । ସେମାନେ ବୁଲୁଛନ୍ତି, ଖାଉଛନ୍ତି । କିନ୍ତୁ କୌଣସିଥିରେ ସୁରକ୍ଷାକର୍ମୀ ବାଡେଇବାର ଚିତ୍ର ନାହିଁ । କେବଳ ମିଛ କହି ଅଗଣତାନ୍ତ୍ରିକ ଭାବେ କଳା ପୋଷାକ ପିନ୍ଧି, ଘଣ୍ଟା, ତୂରୀ, ବଂଶୀ, ହୁଇସିଲ ବଜାଇବା ଭଳି କାର୍ଯ୍ୟକ୍ରମ କଲେ ଓଡିଶାବାସୀ କେବେ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ମହିଳା ହିଂସାକୁ ରାଜନୀତିର ପଶପାଲିରେ ପକାଇଛନ୍ତି। ଯେଉଁମାନେ ଘଣ୍ଟା, ତୂରୀ ବଜାଉଛନନ୍ତି ତାଙ୍କ ସମୟରେ ବିଲୁଆଖାଇ ନଦୀ ଘଟଣା, ନନ୍ଦନକାନନ ପାଖ ଲଜ୍ଜ୍ୟା ଘଟଣା କୁଆଡ଼େ ଗଲା। କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ସରକାରକୁ ଦରକାର ନାହିଁ। ବିଜେଡି ଗୋଟିଏ ଆଙ୍ଗୁଳି ସରକାରକୁ ଦେଖେଇଲେ ତିନିଟି ଆଙ୍ଗୁଳି ତାଙ୍କ ଆଡ଼େ ଅଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ମୋହନ ମାଝୀ କହିଛନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣା, ମମିତା ମେହେର, ପରୀ, ସ୍ମିତାରାଣୀ ପରି ଏତେ ବଡ ଘଟଣାରେ ନ୍ୟାୟ ଦେଇ ପାରି ନାହାଁନ୍ତି। ସେମାନେ ଆଜି ବିଭିନ୍ନ କଥା କହୁଛନ୍ତି। କିନ୍ତୁ ସେମାନେ ଜାଣିବା ଦରକାର ଆମ ଆଡକୁ ଗୋଟିଏ ଆଙ୍ଗୁଳି ଉଠାଇଲେ ତାଙ୍କ ଆଡେ ୩ଟି ଆଙ୍ଗୁଳି ଅଛି। ଆମେ ବି ବିରୋଧୀ ଦଳରେ ଥିବା ବେଳେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଥିଲୁ। ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନସଭା କୁ ଆସୁନଥିଲେ, ଏବେ ବିରୋଧୀ ଦଳ ନେତା ଭାବେ ବି ଦେଖା ନାହିଁ। ବିଜେଡି ଦଳର ଏହା ବିଚିତ୍ର ବ୍ୟବସ୍ଥା।