ଭୁବନେଶ୍ୱର: ଓଡ଼ିଶାରୁ କେନ୍ଦ୍ର ସରକାର ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବେ । ଏଥିପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମୋଟ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ମହଜୁତ ଅଛି । ସେଥିମଧ୍ୟରୁ କେନ୍ଦ୍ର ୫ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ଲକ୍ଷେ ମେଟ୍ରିକ ଟନ ଅରୁଆ ଚାଉଳ ନେବ । ଅବଶିଷ୍ଟ ୧ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ସରକାର ନିଲାମ କରିବେ । ରାଜ୍ୟରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ନେବାକୁ କେନ୍ଦ୍ର କହିଥିବାରୁ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ପ୍ରହଲ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଅଗଷ୍ଟ ୪ ତାରିଖରେ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହା ପରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଉଷୁନା ଚାଉଳ ଓଡ଼ିଶାରୁ କିଣିବାକୁ ନିଷ୍ପତ୍ତି ନେଇଥିଲା । ଓଡ଼ିଶାରୁ ୮ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ କିଣିବାକୁ ଏଫସିଆଇ ନିଷ୍ପତ୍ତି ନେଇଥିଲା । ଏହା ଦ୍ୱାରା ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୪୦ରୁ ୪୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଥିବାବେଳେ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୧୦ରୁ ୧୧ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇବ ।