ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ଖସିବାରେ ଲାଗିଛି। ସେଥିପାଇଁ ପ୍ରବଳ ଜାଡ଼ ସାଙ୍ଗକୁ ଘନକୁହୁଡ଼ି ଦୃଶ୍ୟମାନ ହେଉଛି। ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ୧୦ ଡିଗ୍ରି ତଳେ ରହିଛି ୧୪ ସହରର ତାପମାତ୍ରା। ଆଗାମୀ ୪ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବ। ତେବେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଉପକୂଳରୁ ଉପାନ୍ତ ଉତ୍ତରରୁ ଦକ୍ଷିଣ ସବୁଠି ତଳମୁହାଁ ପାରଦ। ସମତଳ ଅଞ୍ଚଳରେ ୬.୨ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ସେହିପରି ପାର୍ବତ୍ୟାଞ୍ଚଳ ଜି. ଉଦୟଗିରିର ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି। ଏପରିକି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିର ଠାରୁ ୩ରୁ ୫ ଡିଗ୍ରି ତଳେ ରହିଛି। ପ୍ରବଳ ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ସେହିପରି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତାକାଲି ଅତି ଘନକୁହୁଡ଼ି ପାଇଁ ଦୁଇ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।