ବରଗଡ଼: ଶହୀଦ ମାଧୋ ସିଂହଙ୍କ ପରି ଦେଶଭକ୍ତ ସମ୍ପୂର୍ଣ୍ଣ ମାନବ ସମାଜକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ତ୍ୟାଗ କେବଳ ଓଡିଶା ନୁହେଁ, ସାରା ଭାରତ ଏପରିକି ବିଶ୍ୱ ଇତିହାସରେ ବିରଳ । ଦେଶପାଇଁ ସେ ନିଜ ଜୀବନ ସହିତ ନିଜର ଚାରିପୁଅ ଓ ଜାମାତାଙ୍କର ମଧ୍ୟ ବଳିଦାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ଏବଂ ତାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ସହିତ ଏକ ସ୍ବାଗତ ତୋରଣ, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ୬.୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠର ବିକାଶ କରୁଛନ୍ତି। ଏହି ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ମାଧୋ ସିଂହଙ୍କ ଜନ୍ମପୀଠ ଓ ଗ୍ରାମର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି। ଏଥି ସହିତ ୪ କୋଟି ୪୦ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ୧୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଅର୍ବାନ ମଡର୍ଣ୍ଣ ଗାର୍ଲ୍ସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ଏବଂ ଘେଁସ କଲେଜକୁ ସମ୍ପୂର୍ଣ୍ଣ ନୂଆରୂପରେ ବିକାଶ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ କେବଳ ଯୁଦ୍ଧ ନୁହେଁ, ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ନିଜର ଯୋଗଦାନ ଦେଇଆସିଛନ୍ତି। ଶହୀଦ ମାଧୋ ସିଂଙ୍କୁ ନିଜର ଆଦର୍ଶ ମନେକରି ବିଂଝାଳ ଜାତି ତାଙ୍କ ବୀରତା ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଗାମୀ ପିଢ଼ି ସହିତ ପରିଚିତ କାରାଇବାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଆଦିବାସୀ କଲ୍ୟାଣ ସଂଘକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ଶହୀଦ ମାଧୋ ସିଂଙ୍କ ଭଳି ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଜନ୍ମସ୍ଥାନର ସ୍ୱତନ୍ତ୍ର ବିକାଶ ନିମନ୍ତେ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ଘେଁସର ଏହି ମହାନାୟକଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ତାଙ୍କ ଜନ୍ମପୀଠ ଘେଁସକୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ଶହୀଦଙ୍କ ଜନ୍ମପୀଠର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂଙ୍କ ବାସଗୃହ ପରିସରରେ ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ।
କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଶିଷ୍ଟ କୋଶଳି କବି ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ଶହୀଦ ମାଧୋ ସିଂଙ୍କ ଦାୟଦ ଶ୍ରୀଯୁକ୍ତ ଲୋକେଶ୍ୱର ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ।