ନୂଆଦିଲ୍ଲୀ: ଚାଉଳ ଉତ୍ପାଦନରେ ଭାରତ ବିଶ୍ୱର ଏକ ଅଗ୍ରଣୀ ସ୍ଥାନ ହାସଲ କରିଛି । ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥବ୍ୟବସ୍ଥା ଦେଶ ଚୀନକୁ ପଛରେ ପକାଇଛି ଭାରତ ।
ଚାଉଳ ଉତ୍ପାଦନରେ ଭାରତରେ ଭାଗୀଦାରୀ ୨୮ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ଆମେରିକା କୃଷି ବିଭାଗ (ୟୁଏସଡିଏ) ସ୍ୱୀକାର କରିଛନ୍ତି । ୟୁଏସଡିଏ ପକ୍ଷରୁ ପ୍ରକାଶ ପାଇଥିବା ଡିସେମ୍ବର ୨୦୨୫ ରିପୋର୍ଟ ମୁତାବକ ଭାରତର ଚାଉଳ ଉତ୍ପାଦନ ୧୫୨ ମିଲିୟନ ମେଟ୍ରିକ୍ ଟନ୍ ରେ ପହଁଚିଛି । ପ୍ରଥମ ସ୍ଥାନରେ ଥିବା ଚୀନର ଚାଉଳ ଉତ୍ପାଦନ ୧୪୬ ମିଲିୟନ ମେଟ୍ରିକ୍ ଟନ୍ । ଦୀର୍ଘ ବର୍ଷ ହେବ ଚାଉଳ ଉତ୍ପାଦନରେ ଚୀନ ପ୍ରଥମରେ ରହି ଆସୁଥିଲା, ଯେଉଁସ୍ଥାନ ଏବେ ଭାରତ ଅକ୍ତିଆର କରିଛି । ଯାହାକୁ ଚୀନ ବିପକ୍ଷରେ ଭାରତର ଏକ ବଡ଼ ଉପଲବ୍ଧି ବୋଲି ବିବେଚନା କରାଯାଉଛି । ଚୀନ ପାଇଁ ଏହା ଏକ ବଡ଼ ଚିନ୍ତାର କାରଣ ପାଲଟି ଯାଇଛି ।
ଯେତେବେଳେ ଚାଉଳ ଉତ୍ପାଦନ ପ୍ରସଙ୍ଗ ଆସେ ସେତେବେଳେ ସାଧାରଣତଃ ଭାରତର ନାମ ସାମ୍ନାକୁ ଆସେ । କାରଣ ଅଧିକାଂଶ ଭାରତୀୟ ଭାତ ଖାଇ ଥାଆନ୍ତି । କିନ୍ତୁ ଚୀନ ଚାଉଳ ଉତ୍ପାଦନରେ ସବୁବେଳେ ଅଗ୍ରଣୀ ରହିଛି । ଅନ୍ତର୍ଜାତୀୟ ଚାଉଳ ସଂସ୍ଥାର ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଡାକ୍ତର ସୁଧାଂଶୁ ସିଂହ କହିଛନ୍ତି ଯେ ଭାରତ ଚାଉଳ ଉତ୍ପାଦନର ଅଗ୍ରଣୀ ହାସଲ କରିବା ଏକ ବଡ଼ ଉପଲବ୍ଧି । ବିଶ୍ୱରରେ ୧ ଲକ୍ଷ ୨୩ ହଜାର ପ୍ରକାର ଚାଉଳ ଉତ୍ପାଦନ ହୁଏ । ଯେଉଁଥିରୁ ୬୦ ହଜାର ପ୍ରକାର ଚାଉଳ କେବଳ ଭାରତରେ ଦେଖିବାକୁ ମିଳେ । ଭାରତୀୟ ଚାଉଳ ବିଶ୍ୱର ୧୭୨ଟି ଦେଶରେ ବ୍ୟବହାର ହୁଏ । ଚାଉଳ ଭାରତର ବିଦେଶ ନୀତିର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ୨୦୨୪-୨୫ ଆର୍ଥିକ ବର୍ଷରେ, ଭାରତ ରେକର୍ଡ ୪୫୦,୮୪୦ କୋଟି ମୂଲ୍ୟର କୃଷି ଉତ୍ପାଦ ରପ୍ତାନି କରିଥିଲା, ଯେଉଁଥିରେ ଚାଉଳ ସର୍ବାଧିକ ଅଂଶ (ପ୍ରାୟ ୨୪%) ଥିଲା। ଭାରତ ସେହି ବର୍ଷ ବାସୁମତୀ ଏବଂ ଅଣ-ବାସୁମତୀ ଚାଉଳ ରପ୍ତାନି କରି ୧୦୫,୭୨୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ବ୍ୟବସାୟ କରିଥିଲା । ଯାହା ଭାରତୀୟ ଅର୍ଥନୀତିରେ ଚାଉଳର ଗୁରୁତ୍ୱ ଏବଂ ଅବଦାନକୁ ପ୍ରତିଫଳିତ କରେ।