ନୂଆଦିଲ୍ଲୀ: ପ୍ରଥମେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ଏବଂ ପରେ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ଏବେ ପତ୍ନୀ ଟିନା ଅମ୍ବାନୀଙ୍କ ପାଳି ପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିନା ଅମ୍ବାନୀଙ୍କୁ ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ।
ଟିନା ଅମ୍ବାନୀଙ୍କୁ ପୂର୍ବରୁ ଏକ ସମନ ଜାରି କରାଯାଇଥିଲା । ମାତ୍ର ଇଡିର ନିର୍ଦ୍ଦେଶକୁ ସେ ପାଳନ କରିନଥିଲେ । ସୋମବାର ସେ ଇଡିରେ ହାଜର ହୋଇନଥିଲେ । ଏହା ପରେ ପୁଣି ଏକ ସମନ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନ୍ୟୁୟର୍କର ମାନହାଟନରେ ଏକ ବିଳାସପୂର୍ଣ୍ଣ କଣ୍ଡୋମିନିୟମ୍ ବା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବା ସହିତ ଜଡିତ ଟଙ୍କା କାରବାର ବିଷୟରେ ପଚରାଉଚରା ପାଇଁ ତାଙ୍କୁ ସମନ କରାଯାଇଥିଲା ବୋଲି ବିଶ୍ୱାସ କୁହାଯାଉଛି ।
ଇଡି ଏହି ମାମଲାରେ ପୂର୍ବତନ ରିଲାଏନ୍ସ କମ୍ୟୁନିକେସନ୍ସ ସଭାପତି ପୁନିତ ଗର୍ଗଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଜେନ୍ସି ଅନୀଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍ ବିରୁଦ୍ଧରେ ବ୍ୟାଙ୍କ ଠକେଇ ଏବଂ ସମ୍ବନ୍ଧିତ ଆର୍ଥିକ ଅନିୟମିତତାର ଅନେକ ମାମଲାର ତଦନ୍ତ କରିବା ପାଇଁ ଏକ ଏସଆଇଟି ଗଠନ କରିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL) ଦ୍ୱାରା ସାଧାରଣ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ଏବଂ କଳାଧନକୁ ଧଳା କରିବା ଅଭିଯୋଗରେ ଇଡି ଅନୀଲ ଅମ୍ବାନୀଙ୍କର ୯୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି । ସେହିପରି ଗତ ଡିସେମ୍ବର ମାସରେ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ସିବିଆଇ ଏକ ଠକେଇ ମାମଲା ରୁଜୁ କରିଥିଲା । ଜୟ ଅନମୋଲଙ୍କ ବିରୋଧରେ ୨୨୮ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଜୟ ଅନମୋଲ ଏବଂ ତାଙ୍କ କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବ୍ୟାଙ୍କକୁ ୨୨୮ କୋଟି ଟଙ୍କାର କ୍ଷତି ହୋଇଛି । ଏନେଇ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସିବିଆଇରେ ଅଭିଯୋଗ କରିଥିଲା ।