ମୁମ୍ବାଇ: ମୁମ୍ବାଇରେ ଭୟର ବାତାବରଣ ଖେଳିଯାଇଛି । ମୁମ୍ବାଇ ଭାଣ୍ଡୁପସ୍ଥିତ ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତଙ୍କ ଘର ସମ୍ମୁଖରେ ଏକ ଧମକ ମିଳିଛି । ବାସଭବନର ସମ୍ମୁଖରେ ରଖାଯାଇଥିବା ଏକ କାର୍ କାଚରେ ରାତି ୧୨ଟାରେ ବିସ୍ଫୋରଣ ହେବ ବୋଲି ଲେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି ।
ଖବର ପାଇଁ ମୁମ୍ବାଇ ପୋଲିସ ତୁରନ୍ତ ସେଠାରେ ପହଁଚି ଛାନଭିନ ଆରମ୍ଭ କରିଛି । କାର୍ ନିକଟରେ ବମ୍ ସ୍କ୍ୱାର୍ଡ ଏବଂ ସନ୍ଧାନୀ କୁକୁର ପହଁଚି ଛାନଭିନ କରୁଛନ୍ତି । ଏହା ସହିତ ସାଂସଦଙ୍କ ବାସଭବନରେ ମଧ୍ୟ ଯାଞ୍ଚ କରାଯାଇଛି । ସାଂସଦଙ୍କ ଘର ସମ୍ମୁଖରେ ଥିବା ଏକ କାର୍ ରେ ବହୁତ ଧୂଳି ଜମି ଯାଇଛି । ସେହି ଧୂଳିରେ କେହି ଜଣେ ଆଙ୍ଗୁଳିରେ ଧମକ ପୂର୍ଣ୍ଣ ବାର୍ତ୍ତା ଦେଇଛି । ତେବେ ଯାଞ୍ଚ ବେଳେ ପୋଲିସକୁ ସେପରି କିଛି ସନ୍ଦିଗ୍ଧ ଜିନିଷ ମିଳି ନାହିଁ ।
ଏଭଳି ଧମକ ପୂର୍ଣ୍ଣ ବାର୍ତ୍ତା କିଏ ଏବଂ କାହିଁକି ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ।