ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କୁ ନେଇ ବଡ଼ ଖୁସି ଖବର ଆସିଛି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଡିସଚାର୍ଜ ହୋଇ ଘରକୁ ଫେରି ପାରନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।
ଅଭିଜିତଙ୍କ ମସ୍ତିସ୍କରେ ସ୍ନାୟୁଗତ ସମସ୍ୟା ଦେଖାଦେଇଥିଲା । ଏହା ସହିତ ଶରୀର ଲିଭରରେ ସମସ୍ୟା ଥିଲା । ମାତ୍ର ସେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଅଭିଜିତ ବିପଦମୁକ୍ତ ଅଛନ୍ତି । ଆଗାମୀ ଦୁଇରୁ ତିନି ମଧ୍ୟରେ ଡିସଚାର୍ଜ ହୋଇପାରନ୍ତି । ତେବେ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ନିର୍ଦ୍ଧିଷ୍ଟ କେତେ ଦିନ ସମୟ ଲାଗିବ ସେନେଇ କିଛି କହି ହେବ ନାହିଁ ବୋଲି କହିଛନ୍ତି ଡାକ୍ତାର ଆଶୁତୋଷ ବିଶ୍ୱାସ ।
ଅଗଷ୍ଟ ୩୧ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାର ଭୁବନେଶ୍ୱରରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେ ଲିଭର ଜନିତ ରୋଗ ଏବଂ ସ୍ନାୟୁ ଗତ ରୋଗରେ ପୀଡିତ ଥିଲେ । ସେ କୋମାକୁ ଚାଲିଯାଇଥିଲେ । ପ୍ରଥମେ ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଭେଣ୍ଟିଲେଟରେ କିଛି ଦିନ ଚିକିତ୍ସିତ ହେବା ପରେ ଆଇସିୟୁକୁ ସ୍ଥାନାନ୍ତରିତ ହୋଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବା ପରେ ତାଙ୍କୁ ନଭେମ୍ବର ୧୦ ତାରିଖରେ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୪ ମାସ ପରେ ସେ ଘରକୁ ଫେରିବାର ସମ୍ଭାବନା ଦେଖାଦେଇଛି ।