ଫେବ୍ରୁଆରୀ ୧ରେ ହେବ ଏନ୍ଏମ୍ଏମ୍ଏସ୍ ପରୀକ୍ଷା। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଏସ୍ସିଇଆରଟି) ପରିଚାଳିତ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନ୍ଏମ୍ଏମ୍ଏସ୍) ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ହେବ। ଏନେଇ ଏସ୍ସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି।
ଏନ୍ଏମ୍ଏମ୍ଏସ୍ ୨୦୨୫-୨୬ ପାଇଁ ଡିସେମ୍ବର ୭ ତାରିଖକୁ ଚୂଡ଼ାନ୍ତ ହୋଇଥିଲା। ହେଲେ ଆଡମିଟ୍ କାର୍ଡ ଡାଉନଲୋଡ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିନଥିଲେ। ଓଏଭିରେ ପଢ଼ୁଥିବା ପିଲାଙ୍କୁ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହେବା ନେଇ ଖବର ଆସିବାରୁ କୋର୍ଟରେ ମାମଲା ପହଞ୍ଚିଥିଲା। ଏହାପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ କୋର୍ଟରେ ମାମଲା ଥିବାରୁ ଏସ୍ସିଇଆରଟି ଜାନୁଆରୀ ମାସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ, ମାମଲା ତୁଟି ନଥିବାରୁ ପୁଣି ପରୀକ୍ଷା ସ୍ଥଗିତ ହୋଇଛି।
ତେବେ ଏସ୍ସିଇଆରଟି ପକ୍ଷରୁ ଫେବ୍ରୁଆରୀ ମାସରେ ପରୀକ୍ଷା କରିବାକୁ ପୁଣି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୩୩୧୪ଟି ଜାତୀୟ ଆୟା ଭିତ୍ତିକ ମେଧା ବୃତ୍ତି ଦିଆଯିବ । ଏହା କେବଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଣଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । କିନ୍ତୁ, ଓଏଭି ଆବାସିକ ସ୍କୁଲ ହୋଇଥିବାରୁ ଓଏଭି ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରିବାକୁ ନିଷ୍ପତ୍ତି ନେଇଛି ଏସ୍ସିଇଆରଟି। ଜଣେ ଅଧିକାରୀ କହିଛନ୍ତି, କୋର୍ଟରେ ମାମଲା ଯଦି ସମାଧାନ ହୁଏ ତେବେ ଧାର୍ଯ୍ୟ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।