ଭୁବନେଶ୍ୱର: ପୁରୁଣା ବର୍ଷର ଶେଷରେ ଓଡ଼ିଶାକୁ ମିଳିଛି ନୂତନ ମୁଖ୍ୟ ଶାସନ ସଚିବ । ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ୪୭ ତମ ମୁଖ୍ୟ ଶାସନ ସଚିବ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ଗର୍ଗ ରାଜ୍ୟର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ଭାବରେ ଏହି ଗୌରବ ଅର୍ଜନ କରିଛନ୍ତି ।
ଶ୍ରୀମତୀ ଗର୍ଗ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଯେ ଏହା ଏକ ଗୁରୁ ଦାୟିତ୍ୱ । ରାଜ୍ୟର ଉନ୍ନତି ପାଇଁ ଏହା ଏକ ବଡ଼ ସୁଯୋଗ ମିଳିଛି । ରାଜ୍ୟର ପ୍ରଗତି ଆମର ମୂଳ ଲକ୍ଷ୍ୟ ରହିବ । ରାଜ୍ୟ ସରକାରଙ୍କ ୨୦୩୬ ଭିଜନ୍ ଡକ୍ୟୁମେଣ୍ଟ କରାଯାଇଛି । ଭାରତ ସରକାରଙ୍କ ୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚିବ ସେ ନେଇ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି । ୨୦୩୬ ଭିଜନ୍ ଡକ୍ୟୁମେଣ୍ଟ କ୍ରିୟାନ୍ୱୟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସ୍ୱପ୍ନର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍କୁ ଗୁରୁତ୍ୱ ଦିଆଯିବ । ମହିଳା, ଯୁବା ସଶକ୍ତୀକରଣ, ପର୍ଯ୍ୟଟନର ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ର ଅନେକ ଚ୍ୟାଲେଞ୍ଜ ରହିଛି, ତାହାକୁ ସମାଧାନ କରିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଗର୍ଗ ।
୧୯୯୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ମନୋଜ ଆହୂଜାଙ୍କ ଅବସର ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଶାସନ ସଚିବ ମନୋଜ ଆହୂଜା ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୨୦୨୯, ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ଗ୍ରହଣ କରିବେ । ବରିଷ୍ଠତା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଏହି ପଦ ମିଳିଛି । ସେ ବର୍ତ୍ତମାନ ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
ଶ୍ରୀମତୀ ଗର୍ଗ ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ବରଗଡ଼ ଓ ସମ୍ବଲପୁରର ଉପ ଜିଲ୍ଲାପାଳ ହୋଇଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ମହିଳା ଏବଂ ଶିଶୁ ବିକାଶ, ଏବଂ ଶ୍ରମ ଏବଂ ଇଏସଆଇ ଭଳି ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ଜାତୀୟ ସ୍ତରରେ ଉଲ୍ଲେଖନୀୟ ଅଭିଜ୍ଞତା ରହିଛି, ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବୟନଶିଳ୍ପ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ଶ୍ରୀମତୀ ଗର୍ଗ ଶ୍ରୀ ରାମ କଲେଜ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ଏହା ପରେ ସେ ଆମେରିକାର ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟରୁ ଜନସ୍ୱାସ୍ଥ୍ୟରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।