ପୁରୀ: ଆଜି ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆରମ୍ଭ ହୋଇଛି ନୂଆବର୍ଷ ୨୦୨୬। ପ୍ରଥମ ଦିନରେ ସମସ୍ତେ ଏହାକୁ ଉତ୍ସାହର ସହ ପାଳନ କରୁଛନ୍ତି। ଘରେ ଘରେ ଏନେଇ ଖୁସିର ମାହୋଲ ଜମିଛି। ନିଜର ତଥା ପରିବାରର ଶାନ୍ତି ଓ ମଙ୍ଗଳ କାମନା କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି। ସାରା ଦେଶରୁ ଶ୍ରଦ୍ଧାଳୁମାନେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ନୂଆବର୍ଷ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ହୋଇ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅତି ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି। ନୂଆବର୍ଷର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ପାଇଁ ବଡଦାଣ୍ଡର ବଗଲା ଧର୍ମଶାଳା ନିକଟରୁ ବ୍ୟାରିକେଡ କରାଯାଇଛି। ଭକ୍ତମାନେ ପ୍ରଥମେ ବଡଦାଣ୍ଡରେ ତିଆରି ହୋଇଥିବା ବ୍ୟାରିକେଡ ଦେଇ ପ୍ରବେଶ କରୁଛନ୍ତି।
ତେବେ ସିଂହଦ୍ଵାରା ଦେଇ କେବଳ ଭକ୍ତମାନେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ, ବଡଦାଣ୍ଡ, ବେଳାଭୂମି, ପୁରୀ ସହରକୁ ମୋଟ ୩୪୪ଟି ସିସିଟିଭି କ୍ୟାମେରାରେ ନଜର ରଖାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ପୁରୀ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ଅଧିକ ପଢନ୍ତୁ : ରାଜ୍ୟରେ ପ୍ରବଳ ଜାଡ଼ ସାଙ୍ଗକୁ ଘନକୁହୁଡ଼ି : ୧୦ ଡିଗ୍ରି ତଳେ ରହିଛି ୧୪ ସହର