କଳସ ବିସର୍ଜନ ବେଳେ ପାଣିରେ ବୁଡି ବାଳକ ମୃତ । ଘଣ୍ଟ ଶଙ୍ଖ ବାଦ୍ୟ ସହ ଗ୍ରାମବାସୀ ଏକ ଆଧ୍ୟାତ୍ମିକ ପଟୁଆରରେ କଳସ ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡ଼ିଗଲେ ଜଣେ ୭ ବର୍ଷର ପୁଅ । ପୋଖରୀରେ ବୁଡି ତାଙ୍କର ଜୀବନ ଚାଲିଯାଇଛି ।କଳସ ବିସର୍ଜନ ଦେଖିବାକୁ ଯାଇଥିଲା କିନ୍ତୁ ଆଉ ଫେରିଲାନି ବାଳକ। ଖାଲି ହୋଇଗଲା ମା କୋଳ । ମା ମା ବୋଲି ଡାକୁଥିବା ପୁଅ ଆଉ କେବେ ବି ଡ଼ାକିବନି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ ।
ସୂଚନା ଅନୁସାରେ ଗାଁରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୧୧ ତାରିଖ ଦିନରୁ ଆରମ୍ଭ ହୋଇ ବୁଧବାର ଏହାର ପୂର୍ଣ୍ଣାହୂତି ହୋଇଥିଲା ।ସେଥିପାଇଁ ଘଂଟ ଶଙ୍ଖ, ହରିବୋଲ ହୁଳହୁଳି ସହ ଗ୍ରାମବାସୀ ଏକ ଶୋଭାଯାତ୍ରାରେ କଳସ ବିସର୍ଜନ ପାଇଁ ଗାଁର ପୋଖରୀକୁ ଯାଇଥିଲେ । କଳସ ବିସର୍ଜନ ସାରି ପୋଖରୀରୁ ଫେରିବାର ପ୍ରାୟ ଅଧ ଘଣ୍ଟା ପରେ ୭ ବର୍ଷର କୁନି ବାଳକ ନଥିବା ଅନୁମାନ କରିଥିଲେ ପରିବାର ଲୋକେ । ଏହାପରେ ଖୋଜାଖୋଜି କରି ପୋଖରୀକୁ ମଧ୍ୟ ଖୋଜିବାକୁ ସେମାନେ ପହଂଚିଥିଲେ ।
ପୋଖରୀରେ ବାଳକଟି ବୁଡ଼ି ଯାଇଥିବା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ଆଣିଥିଲେ ।ହେଲେ ଡାକ୍ତରଖାନାରେ ଡାକ୍ତର କୁନି ବାଳକ ରୁଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । କୁନି ବାଳକ ରୁଦ୍ରଙ୍କ ଅକାଳ ମୃତ୍ୟୁରେ ଶିକାଛିଡ଼ା ଗାଁ ତଥା ଆଖପାଖ ଅଂଚଳ ସ୍ତବ୍ଧ ହୋଇଯାଇଛି । ଶିକାଛିଡ଼ା ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି।