ଆଗରୁ ଆମର ପୂର୍ବ ପୁରୁଷମାନେ ରୋଷେଇ ତଥା ଜିନିଷପତ୍ର ରଖିବା ଲାଗି ମାଟି ପାତ୍ର ବ୍ୟବହାର କରୁଥିଲେ। ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ନନଷ୍ଟିକ୍ ବାସନକୁସନ ବ୍ୟବହାରକୁ ପ୍ରାଧାନ୍ୟ ଦେଉଛନ୍ତି। ପ୍ରକୃତରେ କିନ୍ତୁ ସେସବୁ ଅପେକ୍ଷା ଆମର ପୁରୁଣା ସମୟରେ ବ୍ୟବହାର ହେଉଥିବା ମାଟି ପାତ୍ରର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ରହିଛି । ମାଟି ଶବ୍ଦଟି ମା ନାମରୁ ଆସିଛି। ଆଉ ସେଥିପାଇଁ ତ ପୁରୀର ଶ୍ରୀ ମନ୍ଦିରରେ ଅବଢା ପାଇଁ ମାଟି ପାତ୍ର ବ୍ୟବହାର କରାଯାଏ । ଆଜିକାଲି ଲୋକମାନେ ପୁରୁଣା ଢାଞ୍ଚାକୁ ଅପଣଉଛନ୍ତି । ନନଷ୍ଚିକ, ଷ୍ଟିଲ ବାସନ ଛାଡି ଏବେ ମାଟି ବାସନ ବ୍ୟବହାର କରୁଛନ୍ତି । ମାଟିର ମହତ୍ତ୍ୱକୁ ମଧ୍ୟ ଧୀରେ ଧୀରେ ବୁଝିବାକୁ ଚେଷ୍ଟା କରୁଛି ଏ ମଣିଷ। ଦୈନନ୍ଦିନ ଜୀବନରେ ମାଟି ତିଆରି ସାମଗ୍ରୀର ଉପକାରିତାକୁ ପ୍ରତିଟି ମନୁଷ୍ୟ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି କଲେଣି କିଛି ସମାଜସେବୀ । ଏ ଭଳି ଜଣେ ସମାଜସେବୀ ହେଉଛନ୍ତି ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଅଞ୍ଚଳର ସରିତା ପଣ୍ଡା। ଯିଏ କି ନିଜ ବାସଗୃହରେ ସମସ୍ତ ପ୍ରକାର ମାଟି ତିଆରି ସାମଗ୍ରୀ ତଥା ମାଟିପାତ୍ର, ସୁରେଇ,ବାସନକୁସନ ସହିତ ପ୍ରେସର କୁକର,ଫ୍ରିଜ୍ ଓ ମାଟିର ଅନେକ ଆକର୍ଷଣୀୟ ଗିଫ୍ଟ ଆଇଟମ ବ୍ୟବହାର କରୁଛନ୍ତି ।
ଡାକ୍ତରମାନଙ୍କ କହିବା ଅନୁସାରେ ଆଲୁମିନିୟମ ବାସନରେ ରୋଷେଇ କଲେ ଖାଦ୍ୟର ୮୭ ପ୍ରତିଶତ ପୌଷ୍ଟିକତା ନଷ୍ଟ ହୋଇଯାଇଥାଏ। ପିତ୍ତଳ ବାସନରେ ରୋଷେଇ କଲେ ୭ ପ୍ରତିଶତ ପୌଷ୍ଟିକତା ନଷ୍ଟ ହୁଏ। କିନ୍ତୁ ମାଟି ପାତ୍ରରେ ରୋଷେଇ କଲେ ପୌଷ୍ଟିକତା ବିଲକୁଲ କମେ ନାହିଁ। ମାଟିରେ ପ୍ରାକୃତିକ ଭାବେ ୪୦% ପାଣି ଥାଏ। ସେହିପରି ମ୍ୟାଗ୍ନେସିୟମ, ଲୌହ, ଫସଫରସରେ କ୍ୟାଲସିୟମ ବି ରହିଥାଏ। ତେଣୁ ସେଥିରୁ ପ୍ରସ୍ତୁତ ହେଉଥିବା ପାତ୍ରକୁ ବ୍ୟବହାର କଲେ ଏହି ସବୁ ଧାତୁର କିଛି କିଛି ଅଂଶ ଆମ ଶରୀରକୁ ଯାଇଥାଏ। ଏହାଦ୍ୱାରା ଶରୀରରେ ସେହି ଧାତୁର ଅଭାବରେ ହେଉଥିବା ରୋଗ ଆଉ ହୁଏନାହିଁ। ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟ ଖୁବ୍ ଧୀରେ ରୋଷେଇ ହୋଇଥାଏ। ଯାହାଦ୍ୱାରା କି ତାହା ପୋଡ଼ି ଯିବାର ଆଶଙ୍କା କମେ। କେବଳ ସେତିକି ନୁହେଁ, ଏଥିରେ ଘୋଡ଼ଣୀ ବ୍ୟବହାର କରି ରୋଷେଇ କରାଯାଉଥିବାରୁ ଖାଦ୍ୟର ପ୍ରକୃତ ସ୍ୱାଦ ତଥା ସୁଗନ୍ଧ ମିଳିଥାଏ। ମାଟି ପାତ୍ରରେ ରୋଷେଇ କଲେ ଖୁବ୍ କମ ତେଲ ବ୍ୟବହାର ହୋଇଥାଏ। ଏହାଦ୍ୱାରା ଖାଦ୍ୟରେ ଚର୍ବି ଅଂଶ କମେ। ତେଣୁ ମେଦବହୁଳତା, ମଧୁମେହ, ରକ୍ତଚାପ ଭଳି ଜୀବନଶୈଳୀଜନିତ ରୋଗରୁ ରକ୍ଷା ମିଳିଥାଏ। ମାଟି ତାୱାରେ ପ୍ରସ୍ତୁତ ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। କାରଣ ଅଟା ମାଟିର ଗୁଣକୁ ଅବଶୋଷିତ କରିନିଏ। ଏହାଦ୍ୱାରା ରୁଟିର ପୌଷ୍ଟିକତା ବଢ଼ିଯାଏ। ଏହାସହ ସେଥିରେ ଥିବା ପ୍ରୋଟିନ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ। କେବଳ ସେତିକି ନୁହେଁ, ମାଟି ତାୱାରେ ରୁଟି ଖାଇଲେ ଗ୍ୟାସ, ବଦହଜମି ଜନିତ ସମସ୍ୟା ବହୁତ କମିଯାଇଥାଏ।
ତେଣୁ ଆମେ ସମସ୍ତେ ଆମ ଦେହର ଯତ୍ନ ନେବା ଆଉ ପରିବେଶକୁ ନଷ୍ଟ କଲାଭଳି ସାମଗ୍ରୀ ମାନଙ୍କୁ ବର୍ଜନ କରିବା । ମାଟିପlତ୍ରକୁ ଆଦରି ନେବା ବୋଲି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ବୁଲି ସଚେତନ କରାଉଛନ୍ତି ସମାଜସେବୀ ସରିତା ପଣ୍ଡା। ଏବେ ସେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ବିଧାୟିକା ରୂପେ ଲଢ଼ୁଛନ୍ତି । ଯେଉଁଠି ଆଧୁନିକତାର ଛାପ ତଳେ ଆମ ସଂସ୍କୃତି ଓ ପରମ୍ପରା ଲୋପ ପାଇବାରେ ଲାଗିଛି, ସେଠାରେ ହଜି ଯାଉଥିବା ସଂସ୍କୃତି ଓ ପରମ୍ପରାକୁ ପୁନର୍ବାର ଉଦ୍ ଜୀବିତ କରିବା ପାଇଁ ତାଙ୍କର ଏ ପ୍ରୟାସ ବାସ୍ତବିକ ସ୍ବାଗତଯୋଗ୍ୟ ।
ଅଧିକା ପଢନ୍ତୁ:ଜଳିଗଲା ୮ ବଖରା ଘର