"କପାଳ ଲିଖନ କେ କରିବ ଆନ"- ଯାହା ଭାଗ୍ୟରେ ଲେଖା ହୋଇଛି ତାହା କେହି ପରିବର୍ତ୍ତନ କରି ପାରିବେ ନାହିଁ ।କୁହାଯାଏ ମା'ର ପଣତ କାନି ଆଉ ବାପାଙ୍କ କାନ୍ଧ ସବୁବେଳେ ପିଲାମାନଙ୍କୁ ସବୁ ବିପଦରୁ ଢାଙ୍କି ରଖିଥାଏ । କିନ୍ତୁ ବାପା ମା' ନଥିଲେ ପିଲାମାନେ ସମସ୍ତ ଅସୁବିଧାର ସାମ୍ନା କରୁଛନ୍ତି ।
ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଖୁରୀଭଙ୍ଗା ଗାଁର ।ଗାଁରେ ବେଶ ହସ ଖୁସିରେ ବାସ କରୁଥିଲେ ମିଲୁ ବେହେରା ଏବଂ ସ୍ତ୍ରୀ ନାନ୍ଦୀ ବେହେରାଙ୍କ ସହିତ ୩ଜଣ ପିଲା ଛୁଆ। ମିଲୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ବେଶ ହସଖୁସିରେ ଚାଲିଥିଲା ସେମାନଙ୍କର ହସ ଖୁସିର ସଂସାର । ହେଲେ ହଠାତ ହସ ଖୁସିର ସଂସାର ଭିତରକୁ ଚାଲି ଆସିଲା କଳାପାହାଡ଼ ରୂପି ଦୁଃଖ । ୨୦୨୨ ମସିହା ଅକ୍ଟୋବର ମାସରେ ଚାଲିଗଲେ ନାନ୍ଦୀ।ହସ ଖୁସିର ସୁନାର ସଂସାର ଚୁନା ହୋଇଗଲା । ଅଜଣା ରୋଗରେ ପୀଡିତ ହୋଇ ନାନ୍ଦୀଙ୍କର ମୃତ୍ୟୁ ହୋଇଗଲା ।
ସେତିକିରେ ସରିନଥିଲା ପରିବାରର ଦୁଃଖ । ଦଇବ ଦାଉ ସାଜିଲା ପରି ୬ମାସ ତଳେ ମିଲୁଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଗଲା । ଅନାଥ ହୋଇଗଲେ ତିନି ଶିଶୁ ।ଭାଙ୍ଗିଗଲା ଘରର ମେରୁଦଣ୍ଡ। ବଡ଼ଝିଅ ନନ୍ଦିନୀକୁ ୧୪ବର୍ଷ ,ମଝିଆଁ ପୁଅ ଅର୍ଜୁନ ୧୧ ବର୍ଷ ଓ ସାନ ଝିଅ ସୁକାନ୍ତିକୁ ୭ବର୍ଷ ବୟସ। ଭାଗ୍ୟର ଏହି ବିଡମ୍ବନା ଛଡାଇନେଲା ପିଲାମାନଙ୍କ ଖୁସିକୁ । କୁନି କୁନି ଛୁଆ ଗୁଡିକ ଅବା କେମିତି ଜାଣିବେ ମାଆ ବାପାଙ୍କୁ ହରେଇବାର ଯନ୍ତ୍ରଣା। କେବଳ ମୁଠାଏ ଖାଇବା ପାଇଁ ମୂର୍ଦ୍ଦୁନାର ସେହି ଅକୁହା ଯନ୍ତ୍ରଣା ସାମ୍ନାକୁ ଆସିଛି । ଏମିତିକି ପାଠ ପଢିବା ପାଇଁ ଥିବା ଇଛାକୁ ଭାଗ୍ୟ ରେଖା ବାନ୍ଧିକି ରଖିଛି ।
ବାପା ମା' ଯିବାପରେ ଜୀବନ ଯାତନାରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ୩ ବାପା ମାଆ ଛେଉଣ୍ଡ ଅନାଥ ଶିଶୁ । ୧୪ବର୍ଷ ଝିଅ ମୁଣ୍ଡରେ ପରିବାରର ବୋଝ। ଜୀବନର କଷଟିରେ ଚାପି ହୋଇ ଯାଇଛି ନିରୀହ ,ନିଷ୍ପାପ ଶିଶୁଙ୍କର ଭାଗ୍ୟ । ଆଗ୍ନେୟଗିରର ଉଦଗିରଣ ଜ୍ୱାଳାରେ ଜଳୁଛି ଭୋକିଲା କ୍ଷୁଧାର ଆତୁର ଉଦର । ଦୁଃଖିନୀ ହତଭାଗା ଅନାଥ ଶିଶୁଙ୍କ କୋହ ଭରା ଲୁହ କହି ଦେଉଛି କଷ୍ଟପୂର୍ଣ୍ଣ ଜୀବନର କଣ୍ଟକିତ ଅସହ୍ୟ ବେଦନା । ସତରେ କେତେ ଯନ୍ତ୍ରଣା ସେ ମୁହୂର୍ତ୍ତ ! ବାପ ମାଆ ଛେଉଣ୍ଡ ୩ ଅନାଥ ଶିଶୁ ଆଜି ଯାତନାରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ।
ଗ୍ରାମବାସୀ ପରିବାର ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାର ଏହି ପରିବାର ତଥା କୁନି କୁନି ଶିଶୁଙ୍କର ଦାୟିତ୍ବ ବହନ କରିବାକୁ ନିବେଦନ କରିଛନ୍ତି । ବଞ୍ଚିବା ପାଇଁ ରାହା ଖୋଜୁଥିବା ତିନି ଅନାଥ ଶିଶୁଙ୍କ ପ୍ରତି ସରକାରଙ୍କ ସହାୟତା ଏବଂ ଶିଶୁଙ୍କର ଶିକ୍ଷାର ବିକାଶ ନିମନ୍ତେ ସହଯୋଗ ଏକାନ୍ତ ଲୋଡ଼ା ହୋଇ ପଡିଛି ।