ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ ଖସି ଦୁଇ ଜଣଙ୍କ ଜୀବନହାନି ଘଟିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅନ୍ତର୍ଗତ ତୁରୀ ନଦୀରେ ଥିବା ନିର୍ମାଣଧୀନ ପୋଲ ନିକଟରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ମୃତ୍ୟୁ ଘଟିଥିଲା । ତେବେ ଏ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି (୨୪) ଏବଂ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରାଇନା ଯାନୀ ଏକ ବାଇକ OD24J 4210 ଯୋଗେ ନବରଙ୍ଗପୁର ବ୍ଲକର ଲୋଦିଯୋଡିକୁ ଯାଉଥିଲେ। ପାପଡାହାଣ୍ଡିର ତୁରୀ ନଦୀରେ ପୋଲ ନିର୍ମାଣ କାମ ଜାରି ରହିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ପୋଲରୁ କିଛି ଦୂରରେ ଏକ ମାଟି କାନ୍ଥ କରାଯାଇଛି । ତେବେ ବାଇକ ଚାଳକ ଭାରସାମ୍ୟ ହରାଇ ପ୍ରଥମେ ଉକ୍ତ ମାଟି କାନ୍ଥରେ ବାଡେଇ ହେବା ପରେ ପୋଲ ତଳକୁ ଖସି ପଡ଼ିଥିଲେ।ପୋଲ ତଳକୁ ଖସି ପଡ଼ିବା ଯୋଗୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।
ଏହି ଘଟଣା ପରେ ପୋଲ ନିର୍ମାଣରେ ନିଯୁକ୍ତ କିଛି ଶ୍ରମିକ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ସେମାନଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ରାସ୍ତାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାପଡାହାଣ୍ଡି ଥାନାରେ କେସ ନଂUD 50/24 ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ତେବେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ଆଜି ଠାରୁ ବଦଳିବ ପାଣିପାଗ, କେତେକ ସ୍ଥାନରେ ବର୍ଷା ସମ୍ଭାବନା