ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି । ରାଜ୍ୟରେ ୫୦୦୦ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୪୪୭୯ କୋଟି ବ୍ୟୟ ବରାଦ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପାଇଁ ୨୦୯୧ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି ଆବଣ୍ଟିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆମ ମୁଖ୍ୟମନ୍ତ୍ରୀ ଯୋଜନାରେ ୪୨୦ କୋଟି ବ୍ୟୟ ବରାଦ କରାଯାଇଛି । ସରକାରୀ ମେଡ଼ିକାଲରେ ମାଗଣାରେ ଔଷଧ ବିତରଣ କରାଯିବ । ଏଥିପାଇଁ ନିରାମୟ ଯୋଜନା ପାଇଁ ୧୧୪୦ କୋଟି ଆବଣ୍ଟିତ କରାଯାଇଛି । ନିଦାନ ପାଇଁ ୨୨୯ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପାଇଁ ୨୨୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ସେହିପରି କର୍କଟ ରୋଗର ଚିକିତ୍ସା କ୍ଷେତ୍ର ପାଇଁ ୨୧୧ କୋଟି ମଞ୍ଚୁରୀ ହୋଇଥିବା ବେଳେ ମୋବାଇଲ ହେଲ୍ଠ ୟୁନିଟ୍ ୨୬ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସୁସ୍ଥ ଏବଂ ପରିସ୍କାର ମେଡ଼ିକାଲ ପାଇଁ ନିର୍ମଳ ଯୋଜନାକୁ ୯୯୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ପାଇଁ ଖୁସି ଯୋଜନା ଅଧିନରେ ୯୬ କୋଟି ବ୍ୟୟ ବରାଦ ହୋଇଛି । ମେଡ଼ିକାଲ ଜୈବ ବର୍ୟ୍ୟବସ୍ତ ପରିଚଳନା ପାଇଁ ୩୬୪ କୋଟି ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି ।