ଯାଜପୁର : ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ମନ୍ଦିରରେ ବକୁଳ ଅମାବାସ୍ୟା ଅବସରରେ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହେଉଛି । ସକାଳୁ ସକାଳୁ ପ୍ରଭୁଙ୍କ ମହାସ୍ନାନ ପରେ ପୂଜା ହୋମ, ବିଷ୍ଣୁ ସହସ୍ର ନାମ, ଗୀତା ପାଠ ଓ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।ପାରମ୍ପରିକ ରୀତିନୀତି ଅନୁସାରେ ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରି ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଛି । ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି।
କୁହାଯାଏ ବ୍ରହ୍ମାଙ୍କ ଯଜ୍ଞରୁ ପ୍ରଥମେ ବରାହ ଜନ୍ମ ନେଇଥିଲେ ପରେ ମା ବିରଜାଙ୍କ ଜନ୍ମ ହୋଇଥିଲା । ବରାହଙ୍କ ଜନ୍ମ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟାରେ ହୋଇଥିଲା। ତେଣୁ ବଉଳ ଅମାବାସ୍ୟା ତିଥିକୁ ବରାହଙ୍କ ଜନ୍ମ ତିଥି ରୂପେ ପାଳନ କରାଯାଏ। ଆଜି ସେହି ବକୁଳ ଅମାବାସ୍ୟାରେ ବରାହଙ୍କ ଜନ୍ମ ଦିବସ ପାଳନ କରାଯାଉଛି।
ଏଠାରେ ଯଜ୍ଞବରାହ, ସ୍ବେତ ବରାହ ଓ ଲକ୍ଷ୍ମୀ ବରାହ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୂମଧାମରେ ପାଳନ କରାଯାଉଛି ଯଜ୍ଞ ବରାହଙ୍କର ଜନ୍ମ ତିଥି। । ସଂନ୍ଧ୍ୟା ପୂର୍ବରୁ ମନ୍ଦିର ଚୂଡାରେ ନୂତନ ଧ୍ବଜା ଲଗାଯିବାର ପରମ୍ପରା ରହିଛି । ପରେ ହୋମ ଆଦି କର୍ମପରେ ବରାହଙ୍କ ପୂଜା ସମାପନ କରାଯିବ। ଯଜ୍ଞ ବରାହଙ୍କ ଜନ୍ମ ତିଥି ପାଳନ ଅବସରରେ ଯାଜପୁର ତଥା ଯାଜପୁର ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି।