ଭୁୁବନେଶ୍ୱର: ନିଜ ଗାଁ ବଳଙ୍ଗା ବାୟାବର ଗାଁରେ ପହଞ୍ଚିଲା ପୀଡିତାଙ୍କ ମରଶରୀର । ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ରାତି ପ୍ରାୟ ୧୧ଟାରେ ପହଞ୍ଚିଥିଲା ପୀଡିତାଙ୍କ ମରଶରୀର । ଏଥିପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବାହାରେ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା । ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବିମାନ ବନ୍ଦର ବାହାରେ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନ ପୀଡିତାଙ୍କ ମରଶରୀରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ବାୟାବର ଗାଁ ଅଭିମୁଖେ ବାହାରିଥିଲା ପୀଡିତାଙ୍କ ମୃତଦେହ ।
କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର କାରକେଡରେ ମୃତଦେହ ନିଜର ପୈତୃକ ଗ୍ରାମ ବାୟାବର ନିଆଯାଇଛି । ନିଜ ଗାଁରେ ପୀଡିତାଙ୍କ କବର ଦିଆଯିବ । ସମସ୍ତ ରୀତିନୀତିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ । ଦୀର୍ଘ ୧୫ ଦିନ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଶନିବାର ଆଖି ବୁଜିଥିଲେ ବଳଙ୍ଗା ପୀଡିତା । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିଲେ ହେଁ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ରବିବାର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ ବିମାନ ଯୋଗେ ପୀଡିତାଙ୍କ ମରଶରୀର ଭୁବନେଶ୍ୱର ପହଞ୍ଚିଥିଲା । ଏହା ପରେ ସ୍ୱତନ୍ତ୍ର କାରକେଡରେ ମୃତଦେହ ବାୟାବର ଗାଁ ନିଆଯାଇଛି ।
ସ୍ଥିତିକୁ ଦୃଷ୍ଟିରେ ରଖି ବଳଙ୍ଗା ଥାନାରୁ ଆରମ୍ଭ କରି ପୀଡିତାଙ୍କ ଗାଁ ବାୟାବରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୀଡିତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ମାହୋଲ ରହିଛି । ଶବ ସତ୍କାର ପାଇଁ ବାୟାବର ଗାଁରେ କବର ଖୋଳା ଯାଇଛି । ସୋମବାର ସମସ୍ତ ରୀତି ନୀତିରେ ପୀଡିତାଙ୍କୁ କବର ଦିଆଯିବ । ଉଲ୍ଲେଖନୀୟ ଶତଚେଷ୍ଟା ସତ୍ତ୍ୱେ ଦିଲ୍ଲୀ ଏମ୍ସରେ ବି ପୀଡିତାଙ୍କୁ ବଞ୍ଚାଯାଇ ପାରିନାହିଁ ।
ସୂଚନାଯୋଗ୍ୟ, ଜୁଲାଇ ୧୯ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ତିନି ଜଣ ଦୁର୍ବୃତ୍ତ ବାଇକ ପୀଡିତାଙ୍କୁ ଉଠାଇ ନେଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ପ୍ରଥମେ ବେହୋସ କରିବା ପରେ ପୀଡିତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତିନି ଅଭିଯୁକ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଦେହରେ ନିଆଁ ଲାଗିବାରୁ ଚେତା ଫେରିବା କ୍ଷଣି ପୀଡିତା ନାବାଳିକା ଗାଁ ଅଭିମୁଖେ ଦୌଡିଥିଲେ । ସେଠାରେ ଗାଁ ଲୋକ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ପୀଡିତାଙ୍କୁ ଭର୍ତ୍ତି କରାଯାଇଥିଲା ।
ଏହା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପୀଡିତାଙ୍କ ୭୦ ପ୍ରତିଶତ ଶରୀର ପୋଡି ଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭୁବନେଶ୍ୱର ଏମ୍ସରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବଳଙ୍ଗା ପୀଡିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ତିନି ଥର ଅପରେସନ ହୋଇଥିଲା । ଦିଲ୍ଲୀ ଏମ୍ସରେ ବି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ତେବେ ପୀଡିତା ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନରେ ତାଳମେଳ ନ ଥିଲା । ଫଳରେ ପୋଲିସକୁ ଘଟଣାରେ ଏ ଯାଏ କୌଣସି ସୁରାକ ମିଳି ପାରି ନାହିଁ । ପୀଡିତାଙ୍କ ପାଇଁ ମେଡିସିନ ଆମେରିକାରୁ ମଗାଯାଇଥିଲା । ତେବେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଲଙ୍ଗା ପୀଡିତାଙ୍କୁ ବଞ୍ଚାଯାଇ ପାରି ନାହିଁ ।