ଆଉ ମାତ୍ର ଅଳ୍ପ ଦିନ ପରେ ପାଳନ ହେବ ଦଶହରା । ହେଲେ ଏହି ସମୟରେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଦଶହରା ଫିକା ପଡିପାରେ । ଆସନ୍ତା ଅକ୍ଟୋବର ୬ ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୯ ତାରିଖରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହେବ ଆଉ ବର୍ଷା ଲାଗି ରହିଲେ ପାର୍ବଣ ଫିକା ପଡ଼ିବାର ଆଶଙ୍କା ରହିଛି । ତେବେ ଲଘୁଚାପ ସମୟରେ ଦଶହରା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି । ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।
ଅନ୍ୟପଟେ ରାଜ୍ୟରେ ସୋମବାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ଆଜି ମଙ୍ଗଳବାର ରାଜ୍ୟର ୧୧ ଟି ଜିଲ୍ଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଆଦି ରହିଛି । ଏନେଇ ଏହିସବୁ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ଆସନ୍ତା ୨ ତାରିଖରେ ମଧ୍ୟ ୯ ଜିଲା ମୟୂରଭଞ୍ଜ,କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରିହୋଇଛି ।