ଭୁବନେଶ୍ଵର: ଆନ୍ଧ୍ରରେ ଗ୍ରାନାଇଟ୍ ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ବାକି ଦୁଇ ଜଣ ଗଜପତି ମୋହନା ଅଞ୍ଚଳର। ମୂଲ ଲାଗିବାକୁ ଯାଇଥିବା ବେଳେ ପରିବାର ଲୋକଙ୍କୁ ମିଳଛି ମୃତ୍ୟୁ ଖବର। ଆନ୍ଧ୍ର ପ୍ରଦେଶ ବାପତଲା ଜିଲ୍ଲା ବାଲିକୁରୁଭା ନିକଟରେ ଗ୍ରାନାଇଟ୍ ଖଣିରେ ଘଟିଛି ବଡ଼ ଅଘଟଣ। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି।
ଗାଁରେ କାନ୍ଦ ବୋବାଳି। ବାହୁନି କାନ୍ଦୁଛନ୍ତି ଆତ୍ମୀୟ ସ୍ବଜନ। ମୂଲ ପାଇଁ ଯାଇଥିବା ଭେଣ୍ଡିଆଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ସମସ୍ତେ। କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । ପାଦ ଦଳୁ ଯେମିତି ଖସି ପଡୁଛି ମାଟି। ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ବିସ୍ଫୋରଣେ ବେଳେ ୯ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ବ୍ଲାଷ୍ଟିଂ ବେଳେ ଶ୍ରମିକଙ୍କ ଉପରେ ଖସି ପଡିଥିଲା ପଥର ଖଣ୍ଡ। ଘଟଣା ସ୍ଥଳରେ ୧୮ ଜଣ କାମ କରୁଥିଲେ। ମୃତକ ୯ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳର।
ଦିଗପହଣ୍ଡି ଚଷାନିମଖଣ୍ଡି, କୁରୁବୁଲି, ସିଂଧବା ଗାଁର ୭ ଜଣଙ୍କ ଜୀବନ ଯାଇଛି। ମୋହନା ଥାନା ଢେପାଗୁଡା ପଞ୍ଚାୟତ ଅଲେରା ଗାଁର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୋହନାର ମୃତକ ଦୁଇଜଣ ଭାସ୍କର ବିଷୋୟୀ ଏବଂ ଟୁକୁନା ଦଳାଇ। ସେମାନେ ମାସେ ହେଲା ସେହି ପଥର କ୍ବାରୀରେ କାମ କରୁଥିଲେ l ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମର ଶରୀର କିଭଳି ଗାଁରେ ପହଂଚିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାକୁ ନେଇ ଭଗୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।