ବାଲେଶ୍ୱର : ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ଆତ୍ମହୁତି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ସୌମ୍ୟଶ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ଓ ଶୁଭ୍ର ସମ୍ବିତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଶୁଭ୍ର ଏବିଭିପିର ରାଜ୍ୟ ଯୁବ ସମ୍ପାଦକ, ଏମାନେ ସୌମ୍ୟଶ୍ରୀଙ୍କୁ ଆତ୍ମହୁତି ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଉଭୟଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଗିରଫ ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ନିକଟରେ ଏସସିବିରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଛାତ୍ରଙ୍କ ବିରୋଧରେ ପ୍ରମାଣ ପାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଗତ ଜୁଲାଇ ୧୨ତାରିଖ ଦିନ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ବର ଏମ୍ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍ନୀ, ଫୁସ୍ଫୁସ୍ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଶେଷରେ ଜୀବନ ଯୁଦ୍ଧରେ ସେ ହାରିଯାଇଥିଲେ।
ସୌମ୍ୟଶ୍ରୀ ନିଜ ବିଭାଗର ଅଧ୍ୟାପକ(ବିଭାଗୀୟ ମୁଖ୍ୟ) ସମୀର କୁମାର ସାହୁଙ୍କ ବିରୋଧରେ ସୌମ୍ୟାଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯାହାକୁ କଲେଜ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଏହି କମିଟି ବିଫଳ ହୋଇଥିଲା। ନ୍ୟାୟ ପାଇବା ପାଇଁ ସବୁଆଡ଼ୁ ନିରାଶ ହେବାପରେ ଛାତୀଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଦୁଇ ସହପାଠୀ ପ୍ରବର୍ତ୍ତାଇଥିବା ଘଟଣା ଏବେ ସାମନାକୁ ଆସିଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।