ଜେଲରେ ବିଚାରାଧୀନ ବନ୍ଦୀକୁ ନିର୍ଯାତନା ଓ ମୃତ୍ୟୁ ଅଭିଯୋଗ। ଫୁଲବାଣୀ ଜିଲ୍ଲା ଜେଲରେ ବିଚାରାଧୀନ ବନ୍ଦୀକୁ ନିର୍ଯାତନା ଦିଯାଉଥିବାରୁ ବିଚାରାଧୀନ ବନ୍ଦୀ ମୃତ୍ୟୁ ହୋଇଯାଇଥିବା ଅଭଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଡିମିରିଗୁଡ଼ାର ବାସିନ୍ଦା । ୨ ଦିନ ପୂର୍ବରୁ ଜେଲକୁ ଯାଇଥିବା ଅଭିରାମ ଗୁରୁତର ହେବାରୁ ମଙ୍ଗଳବାର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ତେବେ ତାଙ୍କୁ ମାଡ ମରାଯାଇଛି ଓ ଅନେକ ସ୍ଥାନରେ ମାଡ ଚିହ୍ନ ରହିଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ୟବସ୍ଥା କରିଛି। ତେବେ ଏହାକୁ ନେଇ ଜିଲ୍ଲା ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବୁଝା ସୁଝ କରିଥିଲେ ସ୍ଥାନୀୟ ପୁଲିସ ଅଧିକାରୀ।
ସୂଚନା ଅନୁସାରେ ୨୦୨୧ ମସିହାରେ ଫିରିଙ୍ଗିଆ ଥାନାରେ ହୋଇଥିବା ଏକ ଗଞ୍ଜେଇ ଚାଲାଣ ମାମଲାରେ ଚଳିତ ମାସ ୧୫ ତାରିଖରେ ଅଭିରାମ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ ଓ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଜେଲରେ ଥିବା ସମୟରେ ଅସୁସ୍ଥ ହେବାରୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଜେଲ୍ କର୍ତ୍ତୃପକ୍ଷ। ତେବେ ସମ୍ପୂର୍ଣ୍ଣ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେବ ଓ ଏତଲା ମଧ୍ୟ ରୁଜୁ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।