ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଜ୍ୱରରେ ପୀଡିତ ହୋଇଛନ୍ତି ଶ୍ରୀବିଗ୍ରହମାନେ । ଏବେ ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି । ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ତିନି ଠାକୁର ତେଣୁ ଶ୍ରୀମନ୍ଦିରରେ ଏହି ସମୟରେ ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହେବା ପରେ ପଟିଦିଅଁଙ୍କୁ ବିଜେ କରାଯାଇଛି । ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ।
ଆଜିଠାରୁ ପୁରୀ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଶେଷ ହୋଇ ସକାଳ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମନ୍ଦିର ଆଗରେ ଏକ ଅସ୍ଥାୟୀ ଫାଣ୍ଡି ଖୋଲାଯାଇଛି ଏବଂ ୬ ପ୍ଲାଟୁର୍ନ ଫୋସ ମୁତୟନ କରାଯାଇଛି ।