ଓଲିଉଡରେ କାଷ୍ଟିଂକାଉଚ ଅଭିଯୋଗ ପରେ ବିବାଦ ତେଜିବାରେ ଲାଗିଛି । ନିକଟରେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ଉପରେ ବର୍ଷିଥିଲେ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୁଦ୍ଧରେ ସିଧାସଳଖ କାଷ୍ଟିଂ କାଉଚ୍ର ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଗତକାଲି ପ୍ରଯୋଜକ ସଂଜୟ ନାୟକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ ସଂଜୟଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ପ୍ରକୃତିଙ୍କ ଏଫଆଇଆର ଆଧାରରେ ମାମଲା ରୁଜୁ କରିଛି ମୁମ୍ବାଇ ଡିଏନ ନଗର ପୋଲିସ୍ । ଏତଲା ପରେ ସଞ୍ଜୟଙ୍କ ବିରୋଧରେ ଆଇପିସିର ଦଫା ୫୦୦, ୫୦୪ ଓ ୫୦୬ ଲାଗିଥିବା ସୂଚନା ରହିଛି । କାଷ୍ଟିଂ କାଉଚ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ଉଭୟ ସଞ୍ଜୟ ନାୟକ ଓ ପ୍ରକୃତି ମିଶ୍ର । ପ୍ରମାଣ ଥିଲେ ଅଭିଯୋଗ କରିବାକୁ କହିଥିଲେ ସଂଜୟ । ଆଇନର ଆଶ୍ରୟ ନେବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ସଂଜୟ ।
ଓଲିଉଡ଼ରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଥିଲେ । ଏପରିକି ତାଙ୍କ ସହ ଅତୀତର ଏକ ଦୁଃଖଦ ଘଟଣା ବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ। ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି ପ୍ରକୃତି କହିଥିଲେ ।
ଅନ୍ୟପଟେ ପ୍ରକୃତିଙ୍କ ଉପରେ ବର୍ଷିଛନ୍ତି ପ୍ରଯୋଜକ ସଞ୍ଜୟ ନାୟକ । କହିଛନ୍ତି, ‘କାଷ୍ଟିଂ କାଉଚ୍ ଅଭିଯୋଗ ପୁରା ମିଛ । କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ବଦନାମ କରିବାକୁ ଚକ୍ରାନ୍ତ କରିଛନ୍ତି’। ତଥ୍ୟ ପ୍ରମାଣ ନଥାଇ ଅଭିଯୋଗ ଆଣିଥିବାରୁ ପ୍ରକୃତି ମିଶ୍ର, ଅନ୍ୟ ଜଣେ ଅଭିନେତ୍ରୀ ଜସ୍ମିନ ରଥ ଏବଂ ବିନା ତଥ୍ୟରେ ନ୍ୟୁଜ କରିଥିବା ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଦମା କରିବି ବୋଲି ସଂଜୟ ନାୟକ କହିଛନ୍ତି ।