ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ଦୃଷ୍ଟିରେ ରଖି ବୁଧବାର ବ୍ଲକ ସଭାଗୃହ ଠାରେ ନବ ନିର୍ବାଚିତ ସାଂସଦ ଓ ଧର୍ମଗଡ଼ ବିଧାୟକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଯୋଗଦେଇ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ, ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହପ୍ରଭା ମାଝୀ , ତହସିଲଦାର ନବୀନ କିଶୋର ପାଢ଼ୀ ସମେତ ୨୨ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏଥିସହ ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ମୃତ୍ତିକା ବିଭାଗ, ବିଦ୍ୟୁତ ବିଭାଗର ଅଧିକାରୀ ଅନୁପସ୍ଥିତି ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ବଦଳିବା ପରେ ବିଭାଗୀୟ ଅଧିକାରୀ କିଛି ଗୁମର ଫିଟିଯିବା ଭୟରେ ନା ଆଉ କିଛି କାରଣ ରହିଛି ଯାହାଫଳରେ କୋକସରା ବ୍ଲକରେ ସାଂସଦ ଓ ବିଧାୟକଙ୍କ ପ୍ରଥମ ବୈଠକରେ ଯୋଗ ଦେଇ ନାହାନ୍ତି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତକୁ ନେଇ ସାଂସଦ ଓ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଯଦି କୌଣସି ଅଧିକାରୀ ଲୋକଙ୍କୁ ମୌଳିକ ଅଧିକାର ଯୋଗାଇବାରେ, ସମସ୍ୟା ସମାଧାନ ଦିଗରେ ଅନିୟମିତତା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଭାରେ ଜଣାଇ ଦିଆଯାଇଥିଲା ।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ।
ସଭାକାର୍ଯ୍ୟ ଶେଷ ପରେ କୋକସରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ବୃକ୍ଷରୋପଣ କରିଥିଲେ ସାଂସଦ ଏବଂ ବିଧାୟକ । ମହାବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ପାଛୋଟି ଆଣିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।