ଡ଼ାକ୍ତରଙ୍କ ଅବହେଳା କାରଣରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଞ୍ଚଳରେ । ଟିଟିଲାଗଡ ପିପଲ ପଦର ସ୍ଥିତ ମା ଏବଂ ଶିଶୁ ଡାକ୍ତରଖାନାରେ ଜଣେ ମହିଳାଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି ।
ଅଭିଯୋଗ ମୁତାବକ ଟିଟିଲାଗଡ଼ ଶିହିନି ଗ୍ରାମର ବିମଲ ଛତରଙ୍କ ସ୍ତ୍ରୀ ବିନୋଦିନି ଛତର ଗର୍ଭବତୀ ଥିବା ବେଳେ ଗତ ୨ ତାରିଖରେ ତାଙ୍କୁ ଟିଟିଲାଗଡ ସ୍ତିତ ମା ଏବଂ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୩ ତାରିଖରେ ବିନୋଦିନି ଏକ ମୃତ ଶିଶୁ କୁ ଜନ୍ମ ଦେଇଥିଲେ । ଶିଶୁର ମୃତ୍ୟୁ ପରେ ବିନୋଦିନିଙ୍କ ଚିକିତ୍ସା କ୍ରମାଗତ ଭାବେ ଚାଲିଥିଲା ହେଲେ ଆଜି ପ୍ରାୟ ସକାଳ ୬ଟା ସମୟ ରେ ରୋଗୀ ପରିଦର୍ଶନରେ ଥିବା ଡ଼ାକ୍ତର ବିନୋଦିନିଙ୍କୁ ଏକ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ଦେବାର ୫ମିନିଟ ପରେ ବିନୋଦିନିଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ସହିତ କିଛି ସମୟ ପରେ ମୃତ୍ୟୁ ହୋଇଥିଲା । ଘଟଣାପରେ ବିନୋଦିନିଙ୍କ ପରିବାର ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ଟିଟିଲାଗଡ ପୋଲିସ ଆସି ପହଞ୍ଚିବା ସହ ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରିବା ପରେ ଉତ୍ତେଜନା କମିଥିଲା l ପରେ ଘଟଣା ସମ୍ପର୍କରେ ଡ଼ାକ୍ତର ମାନଙ୍କ ସହ ଆଲୋଚନା କରି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ ପୋଲିସ ।
ଅଧିକ ପଢନ୍ତୁ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଟଙ୍କା