ଭୁବନେଶ୍ୱର: ଦେଶରେ ୬ଟି ରାଜ୍ୟରେ ହେଉଥିବା ଉପନିର୍ବାଚନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ଖାଲି ଫଳାଫଳକୁ ଅପେକ୍ଷା ରହିଛି । ଶୁକ୍ରବାର ଦିନ ବିହାର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେବେ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ୮୧. ୯୪ ପ୍ରତିଶତ ମତଦାନ ହୋଇଛି । ନୂଆପଡ଼ାରେ ଗତ ୨୦୨୪ ସାଧାରଣ ନିର୍ବାଚନ ଅପେକ୍ଷା ମତଦାନ ବୃଦ୍ଧି ପାଇଛି । ଗତ ନିର୍ବାଚନରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିଲା ।
ମିଜୋରାମ ଡମ୍ପାରେ ୮୩.୦୭ ପ୍ରତିଶତ, ପଞ୍ଜାବ ତର୍ଣ୍ଣ ତରଣରେ ୬୦.୯୫ ପ୍ରତିଶତ, ରାଜସ୍ଥାନ ଅନ୍ତାରେ ୮୦.୨୧ ପ୍ରତିଶତ ଓ ତେଲେଙ୍ଗାନା ଜୁବୁଲି ହିଲ୍ସରେ ୪୮.୪୯ ପ୍ରତିଶତ ମତଦାନ ହୋଇଛି । ଦେଖିବାକୁ ଗଲେ ଦେଶରେ ଦ୍ୱିତୀୟ ସର୍ବାଧିକ ମତଦାନ ନୂଆପଡ଼ାରେ ହୋଇଛି । ମହିଳାମାନେ ଅଧିକ ଏହି ଗଣପର୍ବରେ ସାମିଲ ହୋଇଥିଲେ ।
ଗତକାଲି ସକାଳ ୭ଟାରୁ ନୂଆପଡ଼ାରେ ମତଦାନ ଆରମ୍ଭ ହୋଇଥିଲା । କେବଳ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଅପରାହ୍ନ ୪ଟାରେ ମତଦାନ ହୋଇଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ରାତି ୭ଟା ଯାଏ ମତଦାନ ହୋଇଥିଲା । ମୋଟ ୩୫୮ଟି ବୁଥରେ ଭୋଟିଂ ହୋଇଥିଲା । କିଛି ସ୍ଥାନରେ ମକ୍ ପୋଲିଂ ବେଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା, ଯାହାକୁ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା । ସେହିପରି ଆଉ ଗୋଟିଏ ବୁଥରେ ମତଦାନ ମଝିରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଖରିଆର ରୋଡରେ ଥିବା ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ରଖାଯାଇଛି ।
ସେପଟେ ବିହାର ନିର୍ବାଚନର ବୁଥ୍ ବାହୁଡ଼ା ମତ ପ୍ରକାଶ ପାଇଛି । ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲରେ ସ୍ପଷ୍ଟ ବହୁମତ ସହିତ ଏନଡିଏ ସରକାର ଗଢ଼ିବା ଜଣାପଡ଼ିଛି ।