ରାଜନଗର: ୮ ଫୁଟ ଲମ୍ବର ବଉଳା କୁମ୍ଭୀର ପୋଖରୀରୁ ଉଦ୍ଧାର। ରାଜନଗର ବ୍ଳକ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ଏହି କୁମ୍ଭୀର ଉଦ୍ଧାର ହୋଇଛି। ଉଦ୍ଧାର ହେବା ପରେ ଭିତରକନିକା ଜାତୀୟ ଉଦ୍ୟାନର ଗୁପ୍ତି ନିକଟସ୍ଥ ହବାଳି କ୍ରିକରେ ଛଡାଯାଇଛି। ଏହାସହିତ ଉଦ୍ୟାନର ସମସ୍ତ କର୍ମକର୍ତା ସେଠାରେ କିଛି ସମୟ ପାଇଁ ମଧ୍ୟ ଯାଞ୍ଚ କରିଥିଲେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।
ସୂଚନା ମୁତାବକ, କୁମ୍ଭୀରଟି ନିକଟସ୍ଥ ନାଳରୁ ପୋଖରୀ ଭିତରକୁ ଚାଲି ଆସିଥିଲା। ୪ ଦିନ ତଳେ କୁମ୍ଭୀର ଛେଳିକୁ ଖାଇଥିବା ନେଇ ରବୀନ୍ଦ୍ର ବନ ବିଭାଗରେ ଅଭିଯୋଗ କରିଥିଲେ। ବନକର୍ମଚାରୀମାନେ ଜାଲ ବିଛାଇ କୁମ୍ଭୀରକୁ ଧରିବାରେ ସଫଳ ହୋଇଥିଲେ। ତେବେ ବିଗତ ୩ ମାସ ମଧ୍ୟରେ ରାଜନଗର ବ୍ଲକର ପେଣ୍ଠ ଓ ଏଣ୍ଡୁଳାପୁର ଗାଁରୁ ଗତ ୫ଟି କୁମ୍ଭୀର ଉଦ୍ଧାର ହେଲାଣି। ବାରମ୍ବାର ଏହିପରି କୁମ୍ଭୀର ଉଦ୍ଧାର ହେବା ଫଳରେ ଏହା ଏକ ଭୟ ଖେଳାଇଛି। ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି।ତେବେ କୁମ୍ଭୀର ମାନେ କେଉଁଠୁ ଏବଂ କିପରି ଆସୁଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।