ରାୟଗଡା: ମୋବାଇଲ ତଳେ ପଡ଼ିଯିବାରୁ ଚଳନ୍ତା ଟ୍ରେନରୁ ତଳକୁ ଓହଳି ମୋବାଇଲ କାଢ଼ିବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ ଆରପିଏଫ ହେଡ କନେଷ୍ଟବଳ ଏମ.ଭି.ଜେ.ରାଓ । ଏହିଭଳି ଘଟଣା ଘଟିଛି ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୫ରେ । ତେବେ ଯୁବକ ଜଣକ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିଥିବା ଜଣପଡ଼ିଛି । ଆହତ ଯୁବକ ଜଣକ ହେଲେ ତାମିଲନାଡ଼ୁ ରାଜ୍ୟର ପୃଥ୍ୱୀରାଜ । ତେବେ ଡ୍ୟୁଟିରେ ଥିବା RPF ରାଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ପୃଥ୍ୱୀ ।
ସୂଚନା ଅନୁସାରେ, ବିଶାଖାପାଟଣା-ହଜରତନିଜାମୁଦ୍ଦିନ ଟ୍ରେନର ବି-୨(୪୬) ନଂ ସିଟର ପାସେଞ୍ଜର ପୃଥ୍ୱୀ ରାୟଗଡ଼ା ରେଳ ଷ୍ଟେସନରେ ପ୍ଲାଟଫର୍ମ ନଂ୫ରୁ ଟ୍ରେନରେ ଚଢ଼ିଥିଲେ । ଏହି ସମୟରେ ତାଙ୍କ ମୋବାଇଲ ପ୍ଲାଟଫର୍ମରେ ପଡ଼ିଯାଇଥିଲା । ତେବେ ପୃଥ୍ୱୀ ମୋବାଇଲ କାଢ଼ିବା ପାଇଁ ଚଳନ୍ତା ଟ୍ରେନରେ ଓହଳି ମୋବାଇଲ କାଢ଼ିବାକୁ ଚେଷ୍ଟା କରିବା ବେଳେ ରେଳ ଟ୍ରାକକୁ ଟାଣି ହୋଇଯାଇଥିଲେ । ତେବେ ସେଠାରେ ଡ୍ୟୁଟିରେ ଥିବା ଆରପିଏଫ ହେଡ୍ କନେଷ୍ଟବଳ ରାଓ ତାହା ଦେଖି ପୃଥ୍ୱୀଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲେ । ଫଳରେ ପୃଥ୍ୱୀ ସାମାନ୍ୟ ଆହତ ହୋଇଥିଲେ ହେଁ ଅଳ୍ପକେ ତାଙ୍କ ଜୀବନ ବର୍ତିଯାଇଥିଲା । ରାଓଙ୍କ ଏହିଭଳି ସାହସିକତା ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।