ଯାଜପୁର : ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୈତରଣୀରେ ତୃତୀୟ ବନ୍ୟା। ଏବେବି ବନ୍ୟା ଘେରରେ ଦଶରଥପୁର ବ୍ଲକର ଅନେକ ଗାଁ। ଆଖୁଆପଦାରେ ସତର୍କ ସୁଚନା ଉପରେ ଜଳସ୍ତର ଥିବା ବେଳେ ଯାଜପୁର ବଲ୍ଲବିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଯାଜପୁରରେ ବୈତରଣୀରେ କିଛି ମାତ୍ରାରେ ଜଳସ୍ତର କମିଥିଲେ ମଧ୍ୟ ମାତ୍ର ଏବେ ପର୍ଯ୍ୟନ୍ତ ମଧ୍ୟ ସେଠାରେ ବିପଦ ଟଳିନି।
ସେହିପରି ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ୟା ଆସିଛି। ନଦୀର ଉପରମୁଣ୍ତ ଗାଲୁଡିହି ବ୍ୟାରେଜରୁ ୫ ହଜାର କ୍ୟୁସେନ ପାଣି ଛଡାଯାଇଛି। ଧୀରେ ଧୀରେ ହ୍ରାସ ପାଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ହେଲେ ରାଜଘାଟରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ହ୍ରାସ ପାଇ ବିପଦ ସଙ୍କେତ ଉପରେ ୧୦.୭୦ ମିଟରରେ ପାଣି ପ୍ରବାହିତ ହେଉଛି। ବାଲିଆପାଳ,ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଛି। ଏପରିକି ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିଛି। ଫଳରେ ଧାନ ତଳି ପଚି ଯାଇଛି।
ତେବେ ସୋମବାର ବୈତରଣୀର ଶାଖାନଦୀ କାଣିରେ ନଦୀବନ୍ଧ ଭାଙ୍ଗି ୮୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଏହି ଘାଇ ହେବା ଫଳରେ ଦଶରଥପୁର ବ୍ଳକର ମଲ୍ଲିକାପୁର କସପା ସମେତ ୨୦ଟି ପଂଚାୟତର ୪୦ରୁ ଉର୍ଦ୍ଧ୍ବ ଗାଁର ୧୮ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବଢିଯାଇଥିଲା। ଏବେବି ଘାଇ ମୁହଁ ଅଞ୍ଚଳରେ ଘରଦ୍ୱାର ସବୁ ବନ୍ୟା ପାଣିରେ ଉବୁଟୁବୁ। ସେପଟେ ପ୍ରଶାସନ ପକ୍ଷରୁ ପାଣିଘେରରେ ରହିଥିବା ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି।