ଭୁବନେଶ୍ୱର: ପ୍ରତିବର୍ଷ August 26 ତାରିଖକୁ ‘ମହିଳା ସମାନତା ଦିବସ’ ଭାବରେ ପାଳନ କରାଯାଏ। ମହିଳାଙ୍କ ସ୍ଥିତିକୁ ମଜବୁତ କରିବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ପରି ସେମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ପ୍ରଦାନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ | ଆଜିର ଦିନ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥାଏ । ଲିଙ୍ଗ ସମାନତା ଓ ନାରୀ ଅଧିକାର କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ମରଣ କରିବା ଏବଂ ମହିଳାମାନେ କାର୍ଯ୍ୟକ୍ଷେତ୍ର, ଶିକ୍ଷାନୁଷ୍ଠାନ, ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ଉତ୍ଥାପନ କରିବା ଲାଗି ଏହି ଦିବସ ପାଳନ କରାଯାଏ । ଶିକ୍ଷା, ରୋଜଗାର ଏବଂ ନେତୃତ୍ୱ ପଦବୀ ସହିତ ଜୀବନର ସମସ୍ତ କ୍ଷେତ୍ରରେ ସମାନ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଏହା ଆମକୁ ସ୍ମରଣ କରାଏ । ଝିଅ-ପୁଅ ବାଛ ବିଚାର ନ କରି ଲିଙ୍ଗଗତ ସମାନତା ପାଇଁ ଠିଆ ହେବା, ସମାଜ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।
ମହିଳା ସମାନତା ଦିବସର ଇତିହାସ :
ମହିଳା ସମାନତା ଦିବସର ଏହି ଦିନ ଦୀର୍ଘ ଦିନର ସଂଘର୍ଷ ପରେ ୧୯୨୦ ରେ ଆମେରିକାର ମହିଳାମାନଙ୍କୁ ସରକାରୀ ଭୋଟ୍ ଅଧିକାର ପ୍ରଦାନ କରିବାର ନିଷ୍ପତ୍ତିକୁ ସ୍ମରଣ କରାଯାଇଥାଏ । ୧୯୨୦ରେ ଆମେରିକାର ସମ୍ବିଧାନରେ ମହିଳାମାନଙ୍କୁ ସମାନ ମତଦାନ ଦେବା ପାଇଁ ନବେ ଦଶମ ସଂଶୋଧନ ଆକାରରେ ଏକ ସଂଶୋଧନ କରାଯାଇଥିଲା । ୧୯୨୦ ଦଶକ ମଧ୍ୟଭାଗରେ, ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୩୫ ଟି ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ପାଇଁ ଆଇନ ସପକ୍ଷରେ ଭୋଟ୍ ଦେଇଥିଲେ।
୧୮୯୦ ମସିହାରେ, ଆମେରିକାରେ ନ୍ୟାସନାଲ୍ ଆମେରିକୀୟ ମହିଳା ସଫ୍ରେଜ୍ ଆସୋସିଏସନ୍ ଗଠନ ହୋଥିଲା । ଏହି ମସିହା ଅର୍ଥାତ୍ ୧୮୯୦ ମସିହା ପର୍ଯ୍ୟନ୍ତ ଆମେରିକାର ମହିଳାମାନଙ୍କର ଭୋଟ୍ ଦେବାର ଅଧିକାର ନଥିଲା । ଏହି ସଂଗଠନର ଲୋକମାନେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ବିଷୟରେ ବୁଝାଇଥିଲେ । ୧୯୨୦ ରେ ପ୍ରଥମ ଥର ମହିଳାମାନେ ଆମେରିକାରେ ଭୋଟ୍ ଦେବାର ଅଧିକାର ପାଇଲେ । ଏହା ପରେ, ୧୯୭୧ରେ, ଆମେରିକା ସଂସଦ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୨୬କୁ ତାରିଖକୁ ମହିଳା ସମାନତା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ଯାହା ପରଠୁ ସାରା ବିଶ୍ୱରେ ମହିଳା ସମାନତା ଦିବସ ପାଳନ କରାଯାଇଛି।
ମହିଳା ସମାନତା ଦିବସର ସ୍ୱତନ୍ତ୍ରତା:
ଏହି ଦିନ ଆମେରିକା ସମେତ ସମଗ୍ର ବିଶ୍ୱରେ ମହିଳା ଅଧିକାରକୁ ନେଇ ଆଲୋଚନା କରାଯାଏ। ବିଭିନ୍ନ ସ୍ଥାନରେ ସଭା-ସମିତି ଏବଂ ସେମିନାରର ଆୟୋଜନ କରାଯାଏ। ମହିଳା ସଂଗଠନଗୁଡିକ ଜନସମାଜରେ ମହିଳାଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନ ଚଳାନ୍ତି ।