ଯାଜପୁର: ଉପମୁଣ୍ଡରେ ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ପ୍ରବଳ ବର୍ଷା ଫଳରେ ବିଭନ୍ନ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଗସ୍ତ କରିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ରାଜସ୍ବ ମନ୍ତ୍ରୀ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ବନ୍ୟା ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇ ପ୍ରାୟ ୩୦ରୁ ୪୦ ଗାଁ ପ୍ରଭାବିତ ହେଉଛି । ପାଣି ଛାଡ଼ିଲେ ହିଁ ଘାଇ ମରାମତି ସମ୍ଭବ ହେବ ବୋଲି ମନ୍ତ୍ରୀ କହିଛନ୍ତି । ୫ ହଜାରରୁ ଊର୍ଦ୍ଧ୍ବ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି । ଜଳପ୍ଳାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ, ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ।
ସୂଚନା ଯୋଗ୍ୟ, ଗତକାଲି ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି। ଯାଜପୁର ଦଶରଥପୁର ବ୍ଲକ ଅହିୟାସ କସପା ପଛପଡା ଠାରେ କାଣୀ ନଦୀରେ ଘାଇ ସୃଷ୍ଟି ହେବା ଫଳରେ ମଲ୍ଲିକାପୁର, ଦୁଦୁରାଅଣ୍ଟା, ଜୟନ୍ତରା ପଞ୍ଚାୟତ ଏବଂ ଗାଁ ପଛପଡା, କୁଆଁରସାହି, କମାଲପୁର ଗ୍ରାମ ପ୍ରଭାବିତ ହୋଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି । ଲୋକମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଲୋକମଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ।
ଅଧିକ ପଢନ୍ତୁ : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର