ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ ।
ଆଜି ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜିତ କରାଯିବ । ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।
ଅନ୍ୟପଟେ ଗତକାଲି ମଙ୍ଗଳବାର ବାମନ ଜନ୍ମ ସହ ପବିତ୍ର ସୁନିଆ ଉତ୍ସବରେ ଗଜପତି ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ ହୋଇଛି । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ବିଶେଷ ନୀତି ହୋଇଥିଲା । କନକଦୂର୍ଗା,ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାକୁ ଗଜପତିଙ୍କ ଦେବର୍ଚ୍ଚନା କୁହାଯାଏ। ସୁନିଆ ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଛି । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିଛନ୍ତି ଗଜପତି ମହାରାଜ ।
ଅଧିକ ପଢନ୍ତୁ ;- ଆଜିଠାରୁ ଗଜପତି ମହାରାଜଙ୍କର ଆରମ୍ଭ ହେବ ୧୪୩୧ ସାଲ