ନୟାଗଡ଼/କୋଣାର୍କ: ସକାଳୁ ସକାଳୁ ଆସିଛି ଦୁଃଖଦ ଖବର । ରାଜ୍ୟରେ ପୃଥକ ପୃଥକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ଼ରେ ଏକ ଦୋକାନ ଭିତରକୁ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କୋଣାର୍କରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଇଟାମାଟି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସି କାର୍ ଟି ଜଣେ ପଥଚାରୀଙ୍କୁ ଧକ୍କା ଦେବା ସହିତ ଏକ ଦୋକାନ ଭିତରକୁ ମାଡ଼ି ଯାଇଥିଲା । ଫଳରେ କାର ମାଲିକଙ୍କ ସହିତ ପଥଚାରୀଙ୍କର ମୃତ୍ୟୁ ହୋଇଛି । କାର ମାଲିକ ଖୋର୍ଦ୍ଧା ଜିଲ୍ଲା ସାଗରୁଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି ଥିବାବେଳେ ଉଭୟ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁର୍ଘଟଣା ପରେ କାର୍ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହ ଏବଂ କାର୍ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଏକ ବାଇକ୍ ଭାରସାମ୍ୟ ହରାଇ ମଣ୍ଡପରେ ପିଟି ହୋଇଯିବାରୁ ୩ ବାଇକ୍ ଆରୋହୀଙ୍କର ଗୁରୁତର ହୋଇପଡ଼ିଥିଲେ । କୋଣାର୍କ-କାକଟପୁର ରାସ୍ତା ବଢ଼େଇ ଛକ ନିକଟରେ ଥିବା ଏକ ମଣ୍ଡପରେ ମାଡ଼ ହୋଇଥିଲା ବାଇକ୍ । ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଦୁଇ ଜଣଙ୍କୁ ଘୋଷଣା କରିଛନ୍ତି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବାବେଳେ ଅଧା ରାସ୍ତାରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ସମସ୍ତ ମୃତକ ଚାରିଛକ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକମାନେ ହେଉଛନ୍ତି ତୁଳସୀପୁର ଦଣ୍ତିକିରା ଗ୍ରାମର ଦିପକ୍ ମଲିକ, ସାଗର ମଲ୍ଲିକ, ତୁଳସୀପୁର ଗ୍ରାମର ସତ୍ୟପ୍ରକାଶ ସାହୁ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ରବିବାର ରାତିରେ ପୁରୀ ବାଇପାସ୍ ରୋଡ୍ ଟଙ୍କପାଣି ନିକଟସ୍ଥ ସାଇ ମନ୍ଦିର ନିକଟରେ ଏକ ବାଇକୁ କାର୍ ଧକ୍କା ଦେଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୮ନମ୍ବର ଜାତୀୟ ରାଜପଥର ବାରିପଦା ସଦର ଥାନା ଅନ୍ତର୍ଗତ ହୁଣ୍ଡାଇ ଶୋରୁମ୍ ସମ୍ମୁଖରେ ଏକ ସ୍କର୍ପିଓ ସହ ମାଲ ବୋଝେଇ ଅଟୋ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଭଉଣୀ ଗୁରୁତର ହୋଇଥିଲେ ।