କଟକ: ଓଡ଼ିଆ ରାପର୍ ତଥା ଇଞ୍ଜିନିୟର ଅଭିନବ ସିଂହ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ଭଡ଼ା ଘରେ ସେ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି । ସ୍ତ୍ରୀର ମାନସିକ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରିଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
କଟକ କାଳି ଗଳିରେ ଅଭିନବ ସିଂହ ଘର । ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରିବା ସହିତ ରାପ୍ ଗୀତ ମଧ୍ୟ ଗାଆନ୍ତି । ସେ ଜଗର୍ନଟ ନାଁ ରେ ପରିଚିତ ଥିଲେ। ସେ କଟକ ଅନ୍ଥେମ୍ ନାମକ ଏକ ଆଲବମ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ।ଯେଉଁଥିରେ ସେ କଟକ ର ଐତିହ ଓ ଭାଇଚାରା ଇତ୍ୟାଦିକୁ ଦର୍ଶାଇ ଥିଲେ। ଅଭିନବଙ୍କ ମାଆ ପ୍ରତିଦିନ ଭଳି ପୁଅକୁ କଲ୍ କରି ଉଠାଇଥିଲେ ଅଫିସ୍ ଯିବାକୁ । କିନ୍ତୁ ସେ ଫୋନ୍ ଉଠାଇ ନ ଥିଲେ । ମାଆ ପାଖରେ ରହୁଥିବା ଅଭିନବଙ୍କ ସାଙ୍ଗକୁ କଲ୍ କରି କହିଥିଲେ ତାକୁ ଯାଇ ଡାକିବାକୁ । କିନ୍ତୁ ସେ ଆସି ଦେଖିବାରୁ ତାଙ୍କର ଘରର କବାଟ ବନ୍ଦ ଥିଲା । ଅନ୍ୟ ପଟେ ଥିବା ଏକ ବାଲକୋନୀ କବାଟ ଖୋଲାଥିବାରୁ ସେହିବାଟେ ଯାଇ ଅଭିନବ ଶୋଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ତାଙ୍କୁ ଡାକିବାରୁ ନ ଉଠିବାରୁ ପୋଲିସକୁ ଖବର ଦେଇଥିଲେ । ସେ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି ।
ବେଙ୍ଗାଲୁରୁ ସ୍ଥାନୀୟ ପୋଲିସ ପରିବାର ଲୋକଙ୍କୁ ତାଙ୍କର ମୃତ ଦେହ ହସ୍ତାନ୍ତର କରିଛି । ପରିବାର ପକ୍ଷରୁ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ବାପା ମଧ୍ୟ କଟକ ଲାଲବାଗ ଥାନାରେ ଅଭିନବଙ୍କ ସ୍ତ୍ରୀଙ୍କ ସହିତ ୧୦ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ।
ଗତ କିଛି ଦିନ ହେବ ଅଭିନବଙ୍କ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପରସ୍ପରଠୁ ଅଲଗା ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଗତବର୍ଷ ଅଗଷ୍ଟ ମାସରେ ଅଭିନବଙ୍କ ସ୍ତ୍ରୀ ତାଙ୍କୁ ଦୁଇ ଜଣ ଯୁବତୀଙ୍କ ସହିତ ଏକ ହୋଟେଲ୍ ରୁମରେ ଧରିଥିଲେ । ଯାହାକି ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା । ହେଲେ ହଠାତ୍ ସେ କାହିଁକି ଏପରି କଠୋର ନିଷ୍ପତ୍ତି ନେଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।