ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଏମିତି ଚେତାବନୀଭରା କଲ୍ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଏହା ପରେ ସେ ଆମେରିକା ଯାତ୍ରାରେ ଯିବେ । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ରପେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ ।
ଏଏନଆଇ ଅନୁସାରେ, ମୁମ୍ବାଇ ପୋଲିସ ବୁଧବାର ଜଣାଇଛି ଯେ, ପିଏମ ମୋଦୀଙ୍କ ବିଦେଶ ଯାତ୍ରା ପୂର୍ବରୁ ଆସିଥିବା ଏକ କଲ୍ ମାମଲାରେ ପୋଲିସ ଚେମ୍ବୁର ଅଞ୍ଚଳରୁ ଜଣକୁ ଧରିଛି । ଫେବୃଆରୀ ୧୧ରେ ମୁମ୍ବାଇ ପୋଲିସ କଂଟ୍ରୋଲ ରୁମକୁ ଏକ ଚେତାବନୀଭରା କଲ୍ ଆସିଥିଲା । ଏଥିରେ କୁହାଯାଇଥିଲା ଯେ,ଆତଙ୍କବାଦୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆକ୍ରମଣ କରି ପାରନ୍ତି, କାରଣ ସେ ଏବେ ବିଦେଶ ଯାତ୍ରାରେ ଅଛନ୍ତି । ପୋଲିସ କହିଛି, ସୂଚନାକୁ ଗୁରୁତର ସହ ଗ୍ରହଣ କରି ଅନ୍ୟ ସମ୍ବନ୍ଧିତ ଏଜେନ୍ସିକୁ ଅବଗତି କରାଯାଇଥିଲା । ତଦନୁଯାୟୀ ତଦନ୍ତ ଆରମ୍ଭ କରାଯାଇ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଉକ୍ତ ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ବୋଲି ଜଣା ପଡିଛି ।
ପିଏମ ମୋଦୀ କହିଛନ୍ତି ଯେ, ଆମେରିକାରେ ତାଙ୍କ ଯାତ୍ରା ଭାରତ ଓ ଆମେରିକା ମଧ୍ୟରେ ଦୁଇ ଦେଶର ସଂପର୍କକୁ ଆହୁରି ମଜଭୁତ କରିବ । ଫେବୃଆରୀ ୧୦ରୁ ୧୨ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବା ପରେ ଦୁଇ ଦିନିଆ ଆମେରିକା ଗସ୍ତ କରିବେ ।