ଅଗରତଲା: ତ୍ରିପୁରାରୁ ଏକ ଅଭାବନୀୟ ଖବର ଆସିଛି। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏ ନେଇ ଗଣମାଧ୍ୟମକୁ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତ୍ରିପୁରାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହେବାରୁ ତାଙ୍କୁ ହତ୍ୟା କରିଛନ୍ତି। ଏହାପରେ ସେ ମୃତଦେହ ସହ ରାତି ବିତାଇଥିଲେ ଏବଂ ପରେ ଥାନାକୁ ଯାଇ ନିଜର ଅପରାଧ ଜଣାଇଥିଲେ। ଅଭିଯୁକ୍ତ ସ୍ୱାମୀଙ୍କ ନାମ ଶ୍ୟାମଲ ଦାସ।
ପଶ୍ଚିମ ତ୍ରିପୁରା ଜିଲ୍ଲାର ଅମ୍ତାଲି ଥାନା ଅଞ୍ଚଳର ବାସିନ୍ଦା ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଥାନା ସବ୍ ଇନ୍ସପେକ୍ଟର ଶ୍ୟାମଲ ପାଲ କହିଛନ୍ତି ଯେ, ସୋମବାର ରାତିରେ ଶ୍ୟାମଲ ଦାସଙ୍କ ପତ୍ନୀ ସ୍ୱପ୍ନାଙ୍କ ସହ କୌଣସି ପାରିବାରିକ କଥାକୁ ନେଇ ଝଗଡ଼ା ହୋଇଥିଲା ଏବଂ କୌଣସି ଜିନିଷରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ଅଧିକାରୀ କହିଛନ୍ତି, ଶ୍ୟାମଲ ନିଜ ଘର ଭିତରେ ମୃତଦେହ ସହ ରାତି ବିତାଇଥିଲେ। ଆଜି ଅପରାହ୍ନ ପ୍ରାୟ ୧ଟା ୨୦ରେ ସେ ଥାନାକୁ ଯାଇ ଘର ଭିତରେ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା କହିଥିଲେ। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।