କେରଳ: ମାସ ମାସ ଧରି ସିନିଅରଙ୍କ ଅମାନୁଷିକ ଅତ୍ୟାଚାର ସହି ଆସୁଥିଲେ ଜୁନିଅର ଛାତ୍ର ମାନେ। କେବେ ଉଲଗ୍ନ କରୁଥିଲେ ତ କେବେ ଗୁପ୍ତାଙ୍ଗରେ ଭାରି ଓଜନର ଡମ୍ବବେଲ ଝୁଲାଇ କଷ୍ଟ ଦେଉଥିଲେ ତଥା ରକ୍ତାକ୍ତ ହେବା ପର୍ଯ୍ୟନ୍ତ ମାଡ଼ ମାରୁଥିଲେ ତ ଆଉ କେବେ ଜୋମେଟ୍ରି ବକ୍ସର କମ୍ପାସରେ ଆକ୍ରମଣ କରୁଥିଲେ । ଏପରି ଏକ ହୃଦୟ ବିଦାରକ ଘଟଣା କେରଳର କୋଟ୍ଟାୟମର ଏକ ସରକାରୀ ନର୍ସିଂ କଲେଜରୁ ଆସିଛି ।
ସୂଚନାନୁଯାୟୀ କୋଟ୍ଟାୟମସ୍ଥିତ ଏକ ସରକାରୀ ନର୍ସିଂ କଲେଜରେ ପାଞ୍ଚଜଣ ତୃତୀୟ ବର୍ଷର ଛାତ୍ର ତିନିଜଣ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଗତ ତିନି ମାସ ଧରି ଶାରୀରିକ ଓ ମାନସିକ ସ୍ତରରେ ଅତ୍ୟାଚାର କରିଆସୁଥିଲେ । ସମସ୍ତ ପ୍ରଥମ ବର୍ଷର ଛାତ୍ରମାନେ ଥିରୁଅନନ୍ତପୂରମ ଅଞ୍ଚଳର ଅଟନ୍ତି । ଏସଂକ୍ରାନ୍ତରେ ପୀଡିତ ଛାତ୍ରମାନେ କୋଟ୍ଟାୟମର ଗାନ୍ଧିନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ ତୁରନ୍ତ ଅଭିଯୁକ୍ତ ଛାତ୍ରମାନଙ୍କୁ କଲେଜରୁ ବହିଷ୍କାର କରାଯିବ ସହିତ ଆଣ୍ଟି ରାଗିଙ୍ଗ ଆକ୍ଟ ଅନୁଯାୟୀ ପୋଲିସ ସେମାନଙ୍କୁ ଗିରଫ କରିଛି ।
ପୋଲିସର ସୂଚନାମୁତାବକ ଅଭିଯୁକ୍ତ ଛାତ୍ରମାନେ ଗତ ନଭେମ୍ବର ମାସରୁ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଅତ୍ୟାଚାର କରିଆସୁଥିଲେ । ସେମାନଙ୍କୁ ଉଲଗ୍ନ କରି ଠିଆ ହେବାକୁ ବାଧ୍ୟ କରିବା ସହିତ ଗୁପ୍ତାଙ୍ଗରେ ଡମ୍ବବେଲ ଝୁଲାଇଦେଉଥିଲେ । ଅତ୍ୟାଚାର କେବଳ ସେତିକିରେ ସୀମିତ ନ ଥିଲା, ଏହା ସହ ତାଙ୍କୁ ତୀକ୍ଷ୍ଣ ଯନ୍ତ୍ରାଂଶରେ ଆକ୍ରମଣ କରାଯିବା ସହିତ କ୍ଷତରେ ଏପରି ମଲମ ଲଗାଯାଉଥିଲା ଯାହା ଦ୍ୱାରା ଅଧିକ ଜ୍ବଳନ ହେଉଥିଲା । ଯେବେ ସହିବା ସୀମା ପର ହେଉଥିଲା ପୀଡିତମାନେ କଷ୍ଟରେ ଛଟପଟ ହେଉଥିବା ବେଳେ ତାଙ୍କ ପାଟିରେ ସେହି ମଲମକୁ ଭର୍ତି କରାଯାଉଥିଲା । ଏହି ସିନିଅରମାନେ ଏହି ଅତ୍ୟାଚାରର ଭିଡିଓ କରି ବିଭିନ୍ନ ସମୟରେ ଧମକ ଦେଉଥିଲେ । ସିନିଅର ମାନେ ଜୁନିଅର ଛାତ୍ରମାନଙ୍କ ଠାରୁ ମଦ୍ୟପାନ ପାଇଁ ଟଙ୍କା ମଧ୍ୟ ଛଡାଇନେଉଥିବାର ଅଭିଯୋଗ ମଧ୍ୟ ହୋଇଛି । ଯେଉଁ ମାନେ ମନା କରୁଥିଲେ ସେମାନଙ୍କୁ ମାଡ଼ ମରା ଯାଉଥିଲା ।
ତେବେ ସିନିଅରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଜଣେ ଛାତ୍ର ନିଜ ଘରେ ଜଣାଇବାରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ବର୍ତମାନ ସମସ୍ତ ଅଭିଯୁକ୍ତମାନେ ପୋଲିସର ହେପାଜତରେ ଥିବା ବେଳେ ବୁଧବାର ମଧ୍ୟାହ୍ନରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯିବ ।
ଆଗକୁ ପଢନ୍ତୁ : ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା, ସ୍ତ୍ରୀ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକଙ୍କ ଅଭିଯୋଗ