ଭୁବନେଶ୍ୱର: ଆସନ୍ତାକାଲିଠାରୁ ବଜେଟ୍ ଆଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହିତ ଚଳାଇବାକୁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ଅନ୍ୟପକ୍ଷରେ ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେଡ଼ି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି ।
ଅନ୍ୟପକ୍ଷରେ ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି । କାଗଜ ଶୂନ୍ୟ ହୋଇଛି ବିଧାନସଭା ଗୃହ ଏବଂ ହୋଇଛି ଡିଜିଟାଲ ବ୍ୟବସ୍ଥା । ସମସ୍ତ ସଦସ୍ୟଙ୍କ ଟେବୁଲରେ ଟ୍ୟାବର ବ୍ୟବସ୍ଥା କରାଯାଇଛି । ଫଳରେ କୌଣସି ବିଧାୟକଙ୍କ ହାତରେ ଆଉ ପ୍ରଶ୍ନ ପତ୍ର ଦେଖିବାକୁ ମିଳିବ ନାହିଁ । ସଦସ୍ୟମାନେ ଟ୍ୟାବ୍ ଜରିଆରେ ପ୍ରଶ୍ନ ପଚାରିବା ସହିତ ପ୍ରସ୍ତାବ ମଧ୍ୟ ରଖିବେ । ନେଭା ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।
ସର୍ବଦଳୀୟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଅଧିବେଶନରେ ଗୃହରେ ଅନେକ ତୁମ୍ବି ତୋଫାନ ହୋଇଥିଲା । ବିରୋଧୀ ଦଳର ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମଙ୍କ ଉପରକୁ ଚଢ଼ି ହୋହାଲ୍ଲା କରିଥିଲେ । ତେବେ ଚଳିତ ବିଧାନସଭାରେ କୌଣସି ବିଶୃଙ୍ଖଳିତ ବ୍ୟବହାର ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ବାଚସ୍ପତି ଶ୍ରୀମତୀ ପାଢ଼ୀ ।