ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଡାକ୍ତର ହରିବାବୁ କମ୍ଭମପତି ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ । ଏହା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ବୁଧବାର ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।
ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟଦିବସ ସ୍ଥିରୀକୃତ ହୋଇଛି । ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଫେବ୍ରୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍ଫିତର୍ ପଡୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।
ଅଧିକ ପଢ଼ନ୍ତୁ-ହବଗୁଡ଼ିକୁ ପଠାଗଲା ଯୁକ୍ତ ୨ ପ୍ରଶ୍ନ ପତ୍ର, ଆସନ୍ତା ୧୮ରୁ ଆରମ୍ଭ ହେବ ପରୀକ୍ଷା
ତେବେ ଚଳିତ ବଜେଟରେ ରାଜ୍ୟବାସୀଙ୍କର ଅନେକ ଆଶା ଓ ଆକାଂକ୍ଷା ରହିଛି । ବିଶେଷ କରି ମୋହନ ସରକାର ବିକଶିତ ଓଡ଼ିଶାକୁ ନଜରରେ ରଖି ବଜେଟ୍ ଆଣିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଧାନ ମଣ୍ଡି ବିଳମ୍ବରେ ଖୋଲିବା, ବାରବାଟୀ ବିଭ୍ରାଟ୍ ଆଦିକୁ ପ୍ରସଙ୍ଗ କରିବାର ଆଶଙ୍କା କରାଯାଉଛି ।